ରାସ୍ତା ନହେଲେ ଭୋଟ ବର୍ଜନ : ଗ୍ରାମବାସୀ

ଦୀର୍ଘ ୧୬ ବର୍ଷ ଧରି ନିର୍ମାଣ ହୋଇନଥିବା  ରାସ୍ତା ଏବେ ଅଞ୍ଚଳବାସୀଙ୍କ ପାଇଁ ବଡ଼ ସମସ୍ୟା ପାଲଟିଛି। ଉଠିଯାଇଥିବା ମେଟେଲ, ବଡ଼ ବଡ଼ ଖାଲ ଓ ବର୍ଷା ପାଣିରେ ରାସ୍ତା ଅବସ୍ଥା ଅତ୍ୟନ୍ତ ଖରାପ। ବୋରିଗୁମ୍ମା ବ୍ଲକ ବି ସିଂହପୁର ଠାରୁ କାଠରଗଡା ମୁରାନ ଡ୍ୟାମକୁ ସଂଯୋଗ କରୁଥିବା ଏହି ୧୨ କିଲୋମିଟର ରାସ୍ତା ଶୀଘ୍ର ନିର୍ମାଣ ନ ହେଲେ ଆନ୍ଦୋଳନ କରିବା ସହିତ ଆଗାମୀ ଦିନରେ ପଞ୍ଚାୟତ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ।

ବୋରିଗୁମ୍ମା ବ୍ଲକ ବି ସିଂହପୁର ଥାନା ଠାରୁ କାଠରଗଡା ମୁରାନ ଡ୍ୟାମକୁ ସଂଯୋଗ କରୁଥିବା ଏହି ୧୨ କିଲୋମିଟର ରାସ୍ତା ଉପରେ ଗୁମୁଡା, କାଠରଗଡା, ଚମ୍ପାପଦର ଓ ହରଡ଼ାଗୁଡା ପଞ୍ଚାୟତର ଶତାଧିକ ଲୋକ ପ୍ରତିଦିନ ନିର୍ଭର କରୁଛନ୍ତି। ବଡ଼ ବଡ଼ ଖାଲ, ଉଠିଯାଇଥିବା ମେଟେଲ ଓ ଧୂଳିରେ ରାସ୍ତାର ଅବସ୍ଥା ଦୟନୀୟ। ବର୍ଷା ଦିନେ ଖାଲରେ ପାଣି ଜମି କାଦୁଅ ହୋଇଯାଉଥିବା ବେଳେ, ଖରା ଦିନେ ଧୂଳିରେ ଲୋକଙ୍କ ଯାତାୟାତ ଅସହ୍ୟ ହୋଇପଡ଼ୁଛି। ମଙ୍ଗଳବାରର ସାପ୍ତାହିକ ହାଟ, ରୋଗୀଙ୍କୁ ନେଇଯାଉଥିବା ଆମ୍ବୁଲାନ୍ସ ଓ ପର୍ଯ୍ୟଟନ ସ୍ଥଳୀକୁ ଯିବା ଯାତ୍ରୀମାନେ ମଧ୍ୟ ଏହି ରାସ୍ତା ଉପରେ ନିର୍ଭରଶୀଳ।

ଶେଷ ଥର ପାଇଁ 2013 ମସିହାରେ ପ୍ରାୟ ୧୪ କୋଟି ଟଙ୍କା ଅଟକଳରେ ଏହି ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇଥିଲା। କିନ୍ତୁ ଠିକାଦାରଙ୍କ ବିରୋଧରେ ନିମ୍ନମାନର କାର୍ଯ୍ୟ ଅଭିଯୋଗ ଉଠିବା ପରେ ଭିଜିଲାନ୍ସରେ ଏତଲା ହୋଇ କାମ ଅଧାରେ ବନ୍ଦ ହୋଇଯାଇଥିଲା। ସେହି ଦିନଠାରୁ ଆଜିକୁ ୧୬ ବର୍ଷ ବିତିଗଲା ମଧ୍ୟ ରାସ୍ତା ପୁନର୍ନିର୍ମାଣ ହୋଇନାହିଁ। ଲୋକଙ୍କ ଅଭିଯୋଗ, ରାସ୍ତା ଓ ଗୃହନିର୍ମାଣ ବିଭାଗର ଦାୟିତ୍ୱହୀନତା ଯୋଗୁଁ ଏହି ରାସ୍ତା ଆଜି ମରଣଯନ୍ତା ପାଲଟିଛି। ରାସ୍ତା ନିର୍ମାଣ ନ ହେଲେ ବଡ଼ ଆନ୍ଦୋଳନକୁ ଉଲ୍ଲାଇବେ ତା ସହିତ ଆଗାମୀ ପଞ୍ଚାୟତ ନିର୍ବାଚନ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ।

ଅନ୍ୟପଟେ ପ୍ରଶାସନ ପକ୍ଷରୁ କୁହାଯାଇଛି, କିଛି ନ୍ୟାୟିକ ପ୍ରକ୍ରିୟା ଯୋଗୁଁ ରାସ୍ତା କାମ ଦୀର୍ଘ ଦିନ ଧରି ଅଟକି ରହିଥିଲା। ବର୍ତ୍ତମାନ ସମସ୍ୟାର ସମାଧାନ ହୋଇଥିବାରୁ ଶୀଘ୍ର ଟେଣ୍ଡର ପ୍ରକ୍ରିୟା ସରିବ ଏବଂ ବର୍ଷା ଋତୁ ପରେ ରାସ୍ତା ନିର୍ମାଣ ଆରମ୍ଭ ହେବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *