କଳିଙ୍ଗନଗର ଗୁଳିକାଣ୍ଡ: ୨୦ ବର୍ଷ ପରେ ବି ଅଧୁରା ନ୍ୟାୟ

କଳିଙ୍ଗନଗର: ଆଜି ଦିନଟି କେବଳ ଏକ ତାରିଖ ନୁହେଁ ଏହା ଓଡ଼ିଶା ଇତିହାସର ଏକ ବିଦାରକ ଅଧ୍ୟାୟ। ୨ ଜାନୁଆରୀ ୨୦୦୬ ଯେଉଁ ଦିନ କଳିଙ୍ଗନଗରରେ ପୋଲିସ୍‌ ଗୁଳିରେ ପ୍ରାଣ ହରାଇଥିଲେ ୧୩ ଜଣ ନିର୍ଦୋଷ ଆଦିବାସୀ। ଆଜି ସେଇ ଘଟଣାକୁ ୨୦ ବର୍ଷ ପୂରିଛି। ଯାଜପୁର ଜିଲ୍ଲାର କଳିଙ୍ଗନଗର ଏକ ଅଞ୍ଚଳ, ଯାହାକୁ ଶିଳ୍ପୀକରଣ ନାମରେ ରାଜ୍ୟର ମାନଚିତ୍ରରେ ଆଗକୁ ଆଣାଯାଇଥିଲା। ଟାଟା ଷ୍ଟିଲ୍ ସହ ଅନ୍ୟାନ୍ୟ ଶିଳ୍ପ ପାଇଁ ସରକାର ଏଠାରେ ବ୍ୟାପକ ଭାବେ ଜମି ଅଧିଗ୍ରହଣ କରିଥିଲେ। ଏହି ଅନ୍ୟାୟ ବିରୋଧରେ ଉଠିଥିଲା ପ୍ରତିବାଦର ସ୍ୱର। ୨ ଜାନୁଆରୀ ୨୦୦୬ ଟାଟା ଷ୍ଟିଲ୍ କାରଖାନା ପାଇଁ ସୀମା ପାଚେରୀର ନିର୍ମାଣ କାମ ଚାଲିଥିଲା। ଏହାକୁ ବିରୋଧ କରି ଶତାଧିକ ଆଦିବାସୀ ପୁରୁଷ ଓ ମହିଳା ଏକତ୍ରିତ ହୋଇଥିଲେ। ପରିସ୍ଥିତି ଉତ୍ତେଜିତ ହେବା ପରେ ପୋଲିସ୍‌ ପ୍ରଥମେ ଲାଠିଚାର୍ଜ ଏବଂ ପରେ ଗୁଳିଚାଳନା କରିଥିଲା। କିଛି ମୁହୂର୍ତ୍ତରେ ୧୩ ଜଣ ଆଦିବାସୀଙ୍କ ଜୀବନ ଯିବା ସହ ଅନେକ ଜଣ ଗୁରୁତର ଆହତ ହୋଇଥିଲେ। ସେତେବେଳେ ଏହି ଘଟଣା ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା।ମାନବାଧିକାର ସଂଗଠନ ଓ ବିଭିନ୍ନ ରାଜନୈତିକ ଦଳ ଘଟଣାକୁ କଠୋର ଭାବେ ନିନ୍ଦା କରିଥିଲେ। ଚାପ ପରେ ସରକାର କିଛି କ୍ଷତିପୂରଣ ଓ ପୁନର୍ବାସ ପଦକ୍ଷେପ ଘୋଷଣା କରିଥିଲେ। କିନ୍ତୁ ଏହି ଘଟଣାକୁ ନେଇ ଏବେ ବି ପ୍ରଶ୍ନ ଉଠୁଛି ଦୋଷୀ କିଏ? ଗୁଳି ଚଲାଇବା ଆଦେଶ କାହାର? ୨୦ ବର୍ଷ ପରେ ବି ନ୍ୟାୟ କାହିଁକି ଅଧୁରା? କଳିଙ୍ଗନଗର ଗୁଳିକାଣ୍ଡ କେବଳ ଏକ ଘଟଣା ନୁହେଁ ଏହା ଶିଳ୍ପୀକରଣ ଓ‌ ଆଦିବାସୀଙ୍କ ଭୂମି ଅଧିକାର ମଧ୍ୟରେ ଏକ ଅନିମିଷ ସଂଘର୍ଷର ପ୍ରତୀକ।

Leave a Reply

Your email address will not be published. Required fields are marked *