ଲାଗିଲା କଟକଣା, ଦୁଇ ମାସ ମାଛ ଧରିବା ସମ୍ପୂର୍ଣ ମନା!

ଲାଗିଲା କଟକଣା | ଦୁଇ ମାସ ମାଛ ଧରିବା ସମ୍ପୂର୍ଣ ମନା | ଦୂର ସମୁଦ୍ରର ଗଭୀର ଜଳରାଶି ମଧ୍ୟରେ ପ୍ରବେଶ ନିଷେଧ କଲା ପ୍ରଶାସନ | ନା ପଡି ପାରିବ ଜାଲ ନା ଧରାଯାଇ ପାରିବ ମାଛ | ଏମିତି କଟକଣା ଲାଗିବ ପରେ ଏବେ ଦୁଇ ମାସ ଧରି ହାତ ବାନ୍ଧି ବସିବେ ମସ୍ଥ୍ୟଜୀବି ଓ ବୋଟ ମାଲିକ | ଏହି ସମୟରେ ପରିବାର ଚଳାଇବା ପାଇଁ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ସେମାନେ।

ଦୁଇମାସ ପାଇଁ ସମୁଦ୍ର ରେ ଚାଲିବ ନାହିଁ ମାଛଧରା ବୋଟ୍ କି ଯନ୍ତ୍ର ଚାଳିତ ଡଙ୍ଗା। ଏପ୍ରିଲ,  ମେ ଓ ଜୁନ ମାସ ହେଉଛି ମାଛ ମାନଙ୍କ ଅଣ୍ଡାଦାନର ସମୟ। ତେଣୁ ମାଛ ବଂଶ ବୃଦ୍ଧି ପାଇଁ ପ୍ରତ୍ୟେକ ବର୍ଷ ଏପ୍ରିଲ ୧୫ ରୁ ଜୁନ ୧୪, ଦୁଇମାସ ପର୍ଯ୍ୟନ୍ତ କେନ୍ଦ୍ର ଓ ରାଜ୍ଯ ସରକାର ମାଛ ଧରା ଉପରେ ରୋକ ଲଗାଇଥାନ୍ତି। ତେବେ ସରକାରଙ୍କ ଏହି ନିଷ୍ପତ୍ତି କୁ ମତ୍ସ୍ୟଜୀବୀଙ୍କ ପକ୍ଷରୁ ସ୍ବାଗତ କରାଯାଇଛି । ମାଛ ବଂଶ ବୃଦ୍ଧି ହେଲେ ହିଁ ଆମ ପରିବାର ଭଲରେ ରହିବ , କିନ୍ତୁ ବର୍ଷକୁ କଇଁଛ କଟକଣା ପାଇଁ ୬ ମାସ ,ପରେ ମାଛ ବଂଶ ବୃଦ୍ଧି ପାଇଁ ଦୁଇମାସ , ୮ମାସ ମାଛ ଧରା ଏକ ପ୍ରକାର ବନ୍ଦ ରହୁଛି ।

ଏହାପରେ ମଧ୍ଯ ଲଘୂଚାପ ଓ ବାତ୍ୟା ପାଇଁ ପାଖାପାଖି ଦୁଇମାସ ଆମେ ମାଛ ଧରିବାକୁ ଯାଇପାରୁ ନାହୁଁ । ବଳକା ଦୁଇମାସର ରୋଜଗାରରେ ଆମ ପରିବାର ବର୍ଷକ ଚଳିବା କଷ୍ଟକର ହୋଇପଡୁଛି । ତେଣୁ କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ପକ୍ଷରୁ ମତ୍ସ୍ୟଜୀବୀଙ୍କ ପାଇଁ ସ୍ବତନ୍ତ୍ର ଅନୁଦାନ ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି ।

ଦୁଇମାସ ମାଛଧରା ବନ୍ଦ ପାଇଁ ମତ୍ସ୍ଯ ବିଭାଗ ପକ୍ଷରୁ ପାରାଦ୍ଵୀପ ନେହେରୁବଙ୍ଗଳା ମାଛଧରା ବନ୍ଦର,  ଅଠରବାଙ୍କି ବାଲିପ୍ଲଟ, ଚଉମୁହାଣି ଓ ଷଣ୍ଢକୁଦ ପ୍ରଭୃତି ମତ୍ସ୍ୟଜୀବୀ ରହୁଥିବା ଅଞ୍ଚଳରେ ସମୁଦ୍ରକୁ ମାଛ ଧରିବାକୁ ନଯିବା କୁ ସଚେତନ କରାଯାଇଛି। ଏହି ସମୟରେ ବୋଟ ଓ ଯନ୍ତ୍ର ଚାଳିତ ଡଙ୍ଗା ଗୁଡିକର ମରାମତି କାର୍ଯ୍ଯ ପାଇଁ ମଧ୍ଯ ପ୍ରସ୍ତୁତି ଆରମ୍ଭ ହୋଇଛି।

ତେଣୁ ଏବେ ବିଭିନ୍ନ ମାଛଧରା ସ୍ଥାନ ଗୁଡିକରେ ମତ୍ସ୍ୟଜୀବୀଙ୍କ ବଦଳରେ ବିଭିନ୍ନ ବିଭାଗର କାରିଗରଙ୍କ ଭିଡ ଦେଖିବାକୁ ମିଳିଛି। ପାରାଦ୍ଵୀପ ମାଛଧରା ବନ୍ଦର ରେ ୬୩୦ ରୁ ଉର୍ଦ୍ଧ ବୋଟ ଓ ୩୦୦ ରୁ ଉର୍ଦ୍ଧ ଯନ୍ତ୍ର ଚାଳିତ ଡଙ୍ଗା ପଞ୍ଜିକୃତ ହୋଇଥିବା ବେଳେ , ଅଠରବାଙ୍କି ର ବାଲିପ୍ଲଟ ଓ ଚଉମୁହାଣି ରେ ୭ଶହ ରୁ ଉର୍ଦ୍ଧ୍ବ ଯନ୍ତ୍ର ଚାଳିତ ଓ ବିନା ଯନ୍ତ୍ର ଚାଳିତ ଡଙ୍ଗା ରହିଛି । ତେବେ ଦୁଇମାସ ଧରି ବର୍ତ୍ତମାନ ମାଛ ଧରା ବନ୍ଦ ରହୁଥିବାରୁ ପ୍ରତ୍ୟେକ ମତ୍ସ୍ୟଜୀବୀ ଙ୍କୁ ୧୫୦୦୦ହଜାରେ ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ରାଜ୍ୟ ସରକାର ଙ୍କୁ ନିବେଦନ କରିଛନ୍ତି ପାରାଦୀପ ମେରାଇନ କୋ- ଅପରେଟିଭ  ସୋସାଇଟ ସଭାପତି।

ରାଜ୍ୟରେ ଦୁଇ ଲକ୍ଷରୁ ଉର୍ଦ୍ଧ୍ବ ମତ୍ସ୍ୟଜୀବୀ ପରିବାର ଥିବା ବେଳେ ପାରାଦୀପ ମାଛଧରା ବନ୍ଦର ଉପରେ ନିର୍ଭର କରୁଥିବା ୫୦ ହଜାର ରୁ ଉର୍ଦ୍ଧ୍ବ ମତ୍ସ୍ୟଜୀବୀ ପରିବାର ଦୁଇମାସ ରୋଜଗାର କରି ବର୍ଷ ସାରା ପରିବାର ପ୍ରତିପୋଷଣ କରିଥାନ୍ତି। ତେଣୁ କେନ୍ଦ୍ର ଓ ରାଜ୍ଯ ସରକାର ସେମାନଙ୍କୁ ସ୍ବତନ୍ତ୍ର ସୁବିଧା ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *