ଗ୍ରୀଷ୍ମ ପ୍ରବାହରେ ଜଳୁଛି ଓଡ଼ିଶା। ବୌଦ୍ଧ ଜିଲ୍ଲାରେ ତାପମାତ୍ରା 42 ଡିଗ୍ରୀ ଉପରେ ଥିବା ବେଳେ ପାଣି ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି। କେଉଁଠି ପୋଖରୀ ଶୁଖିଯାଇଛି, ତ କେଉଁଠି ନଦୀରେ ପାଣି କମିଯାଇଛି। କିନ୍ତୁ ଏହି ତୀବ୍ର ଖରା ମଧ୍ୟରେ ବୌଦ୍ଧ ଜିଲ୍ଲାର ଏକ ଲଣ୍ଡା ପାହାଡ଼ ଉପରୁ ବାହାରୁଛି ଥଣ୍ଡା ପାଣି। ବର୍ଷ ବର୍ଷ ଧରି ଏହି ପାଣି ବାହାରୁଥିବା ସ୍ଥାନୀୟ ଲୋକ କହୁଛନ୍ତି। ଆସନ୍ତୁ ଦେଖିବା ବୌଦ୍ଧ ରୁ ଏହିଁ ସ୍ୱତନ୍ତ୍ର ରିପୋର୍ଟ।
42 ଡିଗ୍ରୀ ଖରା। ପାଣି ପାଇଁ ସବୁଠି ଲୋକେ ଅସୁବିଧାରେ ପଡ଼ୁଥିବା ବେଳେ ବୌଦ୍ଧ ଜିଲ୍ଲାରୁ ଆସିଛି ଏକ ଭିନ୍ନ ଚିତ୍ର। ସମତଳ ଅଞ୍ଚଳରେ ନୁହେଁ କି ନଦୀ କୂଳରେ ନୁହେଁ, ବରଂ ଲଣ୍ଡା ଟାଙ୍ଗରା ପାହାଡ଼ ଉପରେ ପଥର ଫାଟରୁ ବାହାରୁଛି ଥଣ୍ଡା ପାଣି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବର୍ଷ ବର୍ଷ ଧରି ଏହି ପାଣି ଦୁଇଟି ସ୍ଥାନକୁ ବୋହି ଯାଉଛି। ଖରା ବଢ଼ିଲେ ମଧ୍ୟ ପାଣି ଶୁଖି ନଥାଏ ବୋଲି ସେମାନେ କହୁଛନ୍ତି।
ଏହି ଦୃଶ୍ୟ ହେଉଛି ବୌଦ୍ଧ ଜିଲ୍ଲା ବସନ୍ତବାହାଲ ଗ୍ରାମର ଟାଙ୍ଗରପାଲି ଅଞ୍ଚଳର। ଲଣ୍ଡା ଟାଙ୍ଗରା ପାହାଡ଼ ଉପରେ ଅବସ୍ଥିତ ବାବା ପଞ୍ଚଲିଙ୍ଗେଶ୍ୱର! ଉକ୍ତ ପୀଠରେ ଏହି ପାଣି ପୂଜା କାର୍ଯ୍ୟରେ ମଧ୍ୟ ବ୍ୟବହାର ହୁଏ। ସ୍ଥାନୀୟଙ୍କ ବିଶ୍ୱାସ, ପୂର୍ବରୁ ଏଠାରେ ମୁନି-ଋଷିମାନେ ଇନ୍ଦ୍ରଦେବଙ୍କ ପୂଜା କରୁଥିଲେ। ଖରା ସମୟରେ ମଧ୍ୟ ଏହି ପାଣି ଶୁଖି ନଥିବାରୁ ଏହାକୁ ଅଲୌକିକ ଘଟଣା ଓ ବାବାଙ୍କ ଆଶୀର୍ବାଦ ବୋଲି ଲୋକେ କହୁଛନ୍ତି। ତେବେ ପାହାଡ଼ ଭିତରୁ କିପରି ଏହି ପାଣି ବାହାରୁଛି, ତାହାର ଗବେଷଣା ହେଲେ ପ୍ରକୃତ କାରଣ ସାମ୍ନାକୁ ଆସିପାରେ।
ବୌଦ୍ଧ ଜିଲ୍ଲାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଥିବା ବେଳେ ଏଭଳି ସ୍ୱତନ୍ତ୍ର ସ୍ଥାନ ଏବେ ମଧ୍ୟ ଅବହେଳିତ ହୋଇରହିଛି। ପ୍ରଶାସନ ଏହି ସ୍ଥାନ ଉପରେ ଦୃଷ୍ଟି ଦେଇ ଗବେଷଣା ସହ ଉନ୍ନୟନ କଲେ, ଏହା ଭବିଷ୍ୟତରେ ଏକ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ ହୋଇପାରେ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।
