ପେଟ୍ରୋଲ ପମ୍ପରେ କଳାବଜାରୀ ଅଭିଯୋଗ

ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ୍ ରେଙ୍ଗାଲବେଡ଼ାସ୍ଥିତ ଏକ ପେଟ୍ରୋଲ ପମ୍ପକୁ ନେଇ ଗୁରୁତର ଅଭିଯୋଗ ଆସିଛି। ଦିନବେଳେ ସାଧାରଣ ଗ୍ରାହକଙ୍କୁ ତେଲ ନାହିଁ ବୋଲି ଫେରାଇ ଦିଆଯାଉଥିବା ବେଳେ, ରାତିରେ ଶହ ଶହ ଲିଟର ପେଟ୍ରୋଲ ଓ ଡିଜେଲ କଳାବଜାରରେ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଗାଡ଼ି ଚାଳକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ପେଟ୍ରୋଲ ପମ୍ପ ମାଲିକଙ୍କ କଳାବଜାରୀ। ପଚାରିଲେ ଦେଖାଉଛନ୍ତି ନାଲି ଆଖି। ଦିନରେ ତେଲ ନାହିଁ କହୁଛନ୍ତି, ରାତିରେ କରୁଛନ୍ତି କଳାବଜାରୀ, ଯାହାର ଦୃଶ୍ୟ ଆପଣଙ୍କ ସାମ୍ନାରେ। ଇଏ ହେଉଛି ସେହି ଦୃଶ୍ୟ। ଦେଖନ୍ତୁ କିପରି ରାତିରେ ଖୋଲମଖୋଲା ଭାବେ ଚାଲିଛି ତେଲର କଳାବଜାରୀ। ଦିନ ସମୟରେ ପମ୍ପରେ ତେଲ ନଥିବା ଦର୍ଶାଇ ରଶି ବାନ୍ଧି ଗ୍ରାହକଙ୍କୁ ଫେରାଇ ଦିଆଯାଉଛି। କିନ୍ତୁ ରାତି ହେଲେ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ତେଲ ଟ୍ୟାଙ୍କର ପହଞ୍ଚିବା ପରେ କିଛି ଲୋକ ବଡ଼ ବଡ଼ ଜାର୍ ଓ ଡ୍ରମ୍‌ରେ ଶହ ଶହ ଲିଟର ତେଲ ନେଇଯାଉଥିବା ଦେଖିବାକୁ ମିଳୁଛି। ସ୍ଥାନୀୟଙ୍କ କହିବା ଅନୁସାରେ, ସକାଳେ ପୁଣି ପମ୍ପ ଟ୍ୟାଙ୍କି ଖାଲି ହୋଇଯାଉଥିବାରୁ ସାଧାରଣ ଗାଡ଼ି ଚାଳକମାନେ ହନ୍ତସନ୍ତ ହେଉଛନ୍ତି। ଅନ୍ୟପଟେ କଳାବଜାରରେ ପେଟ୍ରୋଲ ଲିଟର ପିଛା ପ୍ରାୟ ୧୩୦ ଟଙ୍କା ଓ ଡିଜେଲ ୧୩୦ରୁ ୧୪୦ ଟଙ୍କାରେ ବିକ୍ରି ହେଉଥିବା ଅଭିଯୋଗ ହୋଇଛି।

ଶନିବାର ରାତି ପ୍ରାୟ ୧୦ଟାରୁ ୧୧ଟା ମଧ୍ୟରେ ଅନେକ ଲୋକ ଜାର୍ ଧରି ତେଲ ନେଉଥିବା ଦୃଶ୍ୟ ସ୍ଥାନୀୟ ଲୋକ ଦେଖିଥିବା କହିଛନ୍ତି। ସମ୍ବଲପୁର ଜିଲ୍ଲାର ଏକ କ୍ରସର୍‌କୁ ୧୫୦୦ ଲିଟର ଡିଜେଲ ଓ ମୁରାଦିପାଲିର ଜଣେ ଠିକାଦାରଙ୍କ ପାଖକୁ ୪୦୦ ଲିଟର ଡିଜେଲ ଯାଇଥିବା ଅଭିଯୋଗ ମଧ୍ୟ ଆସିଛି। ତେବେ ଏତେ ବଡ଼ ମାପରେ ତେଲ ବିକ୍ରି ଓ କଳାବଜାର ଅଭିଯୋଗ ସତ୍ତ୍ୱେ ଯୋଗାଣ ବିଭାଗ ନିରବଦ୍ରଷ୍ଟା ସାଜିଥିବାକୁ ନେଇ ପ୍ରଶ୍ନ ଉଠିଛି। ସାଧାରଣ ଲୋକ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ପେଟ୍ରୋଲ ପମ୍ପରେ ଦିନେ ତେଲ ସଂକଟ ଓ ରାତିରେ କଳାବଜାର ଅଭିଯୋଗକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ପ୍ରଶାସନ କେବେ କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।

Leave a Reply

Your email address will not be published. Required fields are marked *