କୋରାପୁଟ ଜିଲ୍ଲାରେ ପୁଣି ଗଞ୍ଜେଇ କାରବାର ର ବଡ଼ ଖୁଲାସା। ଜଙ୍ଗଲ ଭିତରେ ଲୁଚାଇ ରଖାଯାଇଥିବା ୧୦୪୫ କିଲୋଗ୍ରାମ ଗଞ୍ଜେଇକୁ ଜବତ କରିଛି ପାଡୁଆ ପୁଲିସ। ବାହାର ରାଜ୍ୟକୁ ଚାଲାଣ ପୂର୍ବରୁ ପୁଲିସ ଏହି ବଡ଼ ଚକ୍ରାନ୍ତକୁ ପଣ୍ଡ କରିଥିବା ଜଣାପଡ଼ିଛି।
ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପାଡୁଆ ପୁଲିସ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧ଟା ୩୦ ମିନିଟ ସମୟରେ ବଡପରାଜାଗୁଡା ଗ୍ରାମପଞ୍ଚାୟତ ଅଧୀନ ରାଙ୍ଗଣିଗୁଡ଼ା ଗ୍ରାମ ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଜଙ୍ଗଲର ବୁଦା ଭିତରେ ଲୁଚାଇ ରଖାଯାଇଥିବା ବହୁ ପରିମାଣର ଗଞ୍ଜେଇ ପୁଲିସ ଜବତ କରିଥିଲା।
ପୁଲିସ ସୂଚନା ଅନୁଯାୟୀ, ଜବତ ହୋଇଥିବା ଗଞ୍ଜେଇର ମୋଟ ଓଜନ ପ୍ରାୟ ୧୦୪୫ କିଲୋଗ୍ରାମ। ଏହି ଗଞ୍ଜେଇକୁ ବାହାର ରାଜ୍ୟକୁ ଚାଲାଣ କରି ବିକ୍ରି କରିବା ପାଇଁ ଜଙ୍ଗଲ ଭିତରେ ଲୁଚାଇ ରଖାଯାଇଥିବା ପୁଲିସ ସନ୍ଦେହ କରୁଛି। ଘଟଣାକୁ ନେଇ ପାଡୁଆ ଥାନାରେ କେସ ନମ୍ବର–୫୩ ରେ ଏନଡିପିଏସ ଆଇନର ଧାରା ୨୦(ବି)(ii)(ସି) ଅନୁଯାୟୀ ମାମଲା ରୁଜୁ ହୋଇଛି।
ତେବେ ଏହି ଘଟଣାରେ ଏପର୍ଯ୍ୟନ୍ତ କୌଣସି ସନ୍ଦିଗ୍ଧଙ୍କୁ ଗିରଫ କରାଯାଇନଥିବା ବେଳେ ଗଞ୍ଜେଇ କାରବାର ପଛରେ କେଉଁ ଚକ୍ର କାର୍ଯ୍ୟ କରୁଛି, ସେନେଇ ପୁଲିସ ତଦନ୍ତ ଜାରି ରଖିଛି। ମାମଲାର ତଦନ୍ତ ଏସଆଇ ଏସ.କେ. ସେଠୀ କରୁଥିବା ଜଣାପଡିଛି।
