ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ପରେ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି ବିଦ୍ୟୁତ ଉତ୍ପାଦନ । 11 କେଭି ବ୍ରେକରରେ ବିସ୍ଫୋରଣ ପରେ ଆଖି ପିଛୁଡ଼ାକେ ପ୍ରକଳ୍ପ ଭିତରେ ନିଆ ବ୍ୟାପିଯାଇଥିଲା । କୋଟି କୋଟି ଟଙ୍କାର ଯନ୍ତ୍ରାଂଶ ଗୁଡିକ ନିଆଁରେ ପଡି ଛାରଖାର ହୋଇଯାଇଛି l ଦୈନିକ 120 ମେଗାୱାଟ ବିଦ୍ୟୁତ ଉତ୍ପାଦନ ବନ୍ଦ ହୋଇଯାଇଛି । ଓଡ଼ିଶା ଓ ଆନ୍ଧ୍ରର ଅଧିକାରୀମାନେ ଲଗାତାର ବିଦ୍ୟୁତ ପ୍ରକଳ୍ପ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରୁଛନ୍ତି l ଅନ୍ୟପଟେ କୋରାପୁଟ ଲୋକସଭା ସାଂସଦ ମଧ୍ୟ ପ୍ରକଳ୍ପ ପରିଦର୍ଶନ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି .
ଶନିବାର ଦିନ ପ୍ରାୟ ବାରଟା ସମୟରେ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପର 11 କେଭି ବ୍ରେକରରେ ହଠାତ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ କିଛି ସେକେଣ୍ଡ ମଧ୍ୟରେ ପ୍ରକଳ୍ପ ଭିତରେ ନିଆ ବ୍ୟାପିଯାଇଥିଲା । ନିଆ ଲାଗିବା ଫଳରେ ପ୍ରକଳ୍ପର ଅନେକ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ ପୁଡ଼ି ଛାରଖାର ହୋଇଯାଇଛି । ଏହା ଫଳରେ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପରୁ ହେଉଥିବା ଦୈନିକ 120 ମେଗାୱାଟ ବିଦ୍ୟୁତ ଉତ୍ପାଦନ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇପଡ଼ିଛି ।

ଘଟଣା ପରେ ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶର ଅଧିକାରୀମାନେ ଘନଘନ ପ୍ରକଳ୍ପ ପରିଦର୍ଶନ କରୁଥିଲା ବେଳେ ପ୍ରକଳ୍ପର ମୁଖ୍ୟ ନିର୍ଦେଶକ ପରିଦର୍ଶନ କରି ତନ ତନ କରି ଅନୁଧ୍ୟାନ କରିବା ସହିତ କି ଭଳି ଭାବରେ ଅତିଶୀଘ୍ର ପୁଣି ଥରେ ବିଦ୍ୟୁତ ଉତ୍ପାଦନ କାର୍ଯ୍ୟକ୍ଷମ ହୋଇ ପାରିବ କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ । ଏବଂ ନିଆରେ ପୁଡ଼ିଯାଇଥିବା ଯନ୍ତ୍ରାଂଶଗୁଡ଼ିକୁ ମରାମତି କରି ପୁନଃ ସ୍ଥାପନ କରାଯିବ ସେନେଇ ତତ୍ପରତା ଆରମ୍ଭ ହୋଇଛି । ମରାମତି କାମ ମଧ୍ୟ ଆରମ୍ଭ କରାଯାଇଥିବା ସୂଚନା ଦେଖାଦେଇଛି ।
ଅନ୍ୟପଟେ ଆଜି କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଶଙ୍କର ଉଲକା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ ପରିଦର୍ଶନ କରି ବୁଲି ଦେଖିବା ସହ ଓଡ଼ିଶା ଓ ଆନ୍ଧ୍ରର ଅଧିକାରୀମାନଙ୍କ ସହିତ ଆଲୋଚନା କରି ଅଗ୍ନିକାଣ୍ଡର କାରଣ ଓ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରିଥିଲେ । ଆଗାମୀ ଦିନରେ ସାଂସଦୀୟ କ୍ଷେତ୍ରରେ ଏହି ପ୍ରସଙ୍ଗ ଉଠାଯିବା ସହ ପ୍ରକଳ୍ପକୁ କିଭଳି ଶୀଘ୍ର ପୁନଃ କାର୍ଯ୍ୟକ୍ଷମ କରାଯିବ ସେନେଇ ଆଲୋଚନା କରାଯାଇଥିବା ସାଂସଦ କହିଛନ୍ତି ।
