ତୁମୁଡିବନ୍ଧ ଅଞ୍ଚଳରେ କାଳ ବୈଶାଖୀର ତାଣ୍ଡବ, ପ୍ରଶାସନ ନିଖୋଜ

“କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଅଞ୍ଚଳରେ କାଳବୈଶାଖୀର ମହାତାଣ୍ଡବ। ଗତକାଲି ରାତିରେ ଆସିଥିବା ଭୟଙ୍କର ଝଡ଼-ତୋଫାନ ଓ ବର୍ଷା ସାରା ଅଞ୍ଚଳକୁ ଛାରଖାର କରିଦେଇଛି। କାହାର ଘର ଭାଙ୍ଗିଯାଇଛି ତ ଆଉ କାହାର ଛପର ଉଡ଼ିଯାଇଛି। ସର୍ବସ୍ୱ ହରାଇ ଲୋକେ ଏବେ ପେଡ଼ିପୁଟୁକା ଧରି ସୁରକ୍ଷିତ ସ୍ଥାନକୁ ଭିଟାମାଟି ଛାଡ଼ି ପଳାଉଛନ୍ତି। ରାସ୍ତାରେ ଗଛ ପଡ଼ି ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ଅନ୍ଧାରରେ ବୁଡ଼ିଛି ସାରା ଅଞ୍ଚଳ। ଅଗ୍ନିଶମ ବାହିନୀ ଗଛ କାଟି ରାସ୍ତା ସଫା କରୁଥିବା ବେଳେ ସବୁଠାରୁ ବଡ଼ ଦୁର୍ଭାଗ୍ୟର କଥା ହେଉଛି, ଏଭଳି ବିପତ୍ତି ସମୟରେ ବି ସ୍ଥାନୀୟ ତହସିଲ ପ୍ରଶାସନର ଦେଖା ମିଳୁନାହିଁ।

ଆକାଶରୁ ବର୍ଷିଲା କାଳ। ନିମିଷକ ମଧ୍ୟରେ ଉଡ଼ିଗଲା ସଂସାରର ଚାଳ। କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଅଞ୍ଚଳରେ ଗତକାଲି ରାତିରେ ପ୍ରକୃତି ରଚିଛି ଏଭଳି କରାଳ ରୂପ। ପ୍ରଳୟଙ୍କରୀ କାଳବୈଶାଖୀ ମାଡ଼ରେ ଶତାଧିକ ପରିବାର ଏବେ ବାସହରା।

 ମୁଣ୍ଡ ଗୁଞ୍ଜିବାକୁ ଆଶ୍ରୟ ନାହିଁ। କାଲି ଯେଉଁଠି ହସଖୁସିର ସଂସାର ଥିଲା, ଆଜି ସେଠି କେବଳ ଧ୍ୱଂସାବଶେଷ। ନିଜର ବାକି ରହିଥିବା ସାମଗ୍ରୀ ଓ ପେଡ଼ିପୁଟୁକାକୁ ଧରି ଭିଟାମାଟି ଛାଡୁଛନ୍ତି ହନ୍ତସନ୍ତ ହେଉଥିବା କିଛି ବିପନ୍ନ।

 ତୋଫାନର ପ୍ରଭାବରେ ସାରା ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଠପ୍। ରାସ୍ତା ଉପରେ ଗଛ ପଡ଼ିଥିବାରୁ ଅଗ୍ନିଶମ ବାହିନୀ ଯୁଦ୍ଧକାଳୀନ ଭିତ୍ତିରେ ଗଛ କାଟି ସଫା କରିବାରେ ଲାଗିଛି।

 ହେଲେ ଏ ସବୁ ଭିତରେ ସବୁଠାରୁ ବଡ଼ ପ୍ରଶ୍ନ- କୁଆଡ଼େ ଗଲା ତହସିଲ ପ୍ରଶାସନ? ଲୋକେ ଖୋଲା ଆକାଶ ତଳେ ଛଟପଟ ହେଉଥିବା ବେଳେ, ତହସିଲ ପକ୍ଷରୁ କୌଣସି ଜଣେ ବି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି।

Leave a Reply

Your email address will not be published. Required fields are marked *