ଅଘୋଷିତ ବିଦ୍ୟୁତ କାଟ: କୋଇଡାରେ ଜନଆକ୍ରୋଶ ବଢ଼ୁଛି, ତାତିରେ ହନ୍ତସନ୍ତ ଜନ ଜୀବନ

ସରକାରଙ୍କ ନିୟମକୁ ବେଖାତିର କରୁଛନ୍ତି କୋଇଡାର ବିଦ୍ୟୁତ ଅଧିକାରୀ । କୋଇଡା ହେଡ କ୍ୱାର୍ଟର ସମେତ ସମଗ୍ର ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଦିନ ଓ ରାତିରେ ହେଉଥିବା ଅନିୟମିତ ବିଦ୍ୟୁତ କାଟ ଲୋକଙ୍କ ଅସୁବିଧା କୁ ଦୁଇଗୁଣା କରିଦେଇଛି ।

ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଥିବା ସତ୍ତ୍ୱେ ସ୍ଥାନୀୟ ବିଦ୍ୟୁତ ଅଧିକାରୀମାନେ ତାହାକୁ ଅବହେଳା କରୁଥିବା ଅଭିଯୋଗ କରିଛନ୍ତି ଉପଭୋକ୍ତାମାନେ । ଗାଁରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠି ଅସହ୍ୟ ଗରମରେ ଲୋକେ ହନ୍ତସନ୍ତ ହେଉଛନ୍ତି । ବିଦ୍ୟୁତ ନଥିବାରୁ ଛାତ୍ରଛାତ୍ରୀମାନେ ଗଛମୂଳେ ବସି ପାଠ ପଢ଼ିବାକୁ ବାଧ୍ୟ ହେଉଥିବା ବେଳେ ରାତିରେ ବିଦ୍ୟୁତ କାଟ ଯୋଗୁଁ ଛୋଟ ଶିଶୁ ଓ ବୃଦ୍ଧମାନେ ଅଧିକ ଅସୁବିଧାରେ ପଡ଼ୁଛନ୍ତି । ଘରଭିତରେ ରହିବା ଅସମ୍ଭବ ହୋଇପଡ଼ୁଥିବାରୁ ଅନେକ ଲୋକ ଗଛମୂଳେ ଓ ଖୋଲା ସ୍ଥାନରେ ଦିନରାତି କାଟୁଛନ୍ତି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, କିଛି ନିର୍ଦ୍ଦିଷ୍ଟ ଖଣି କମ୍ପାନୀ ଓ ବିଦ୍ୟୁତ ବିଭାଗ ମଧ୍ୟରେ ଅସ୍ୱଚ୍ଛ ସମ୍ପର୍କ ଥିବାରୁ ସାଧାରଣ ଉପଭୋକ୍ତାମାନେ ଅବହେଳିତ ହେଉଛନ୍ତି। ଖଣି କମ୍ପାନୀଙ୍କୁ ପ୍ରାଥମିକତା ଦିଆଯାଉଥିବା ବେଳେ ସାଧାରଣ ଲୋକ ହନ୍ତସନ୍ତ ହେଉଛନ୍ତି। ଓଡ଼ିଶା ସରକାର ନିରବିଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ କଡ଼ା ପଦକ୍ଷେପ ନେଇଥିବା କହୁଥିବା ସତ୍ତ୍ୱେ ଖଣି ଅଞ୍ଚଳରେ ତାହାର ପ୍ରତିଫଳନ ଦେଖାଯାଉନାହିଁ । ବିଦ୍ୟୁତ ଉପଭୋକ୍ତାମାନେ ତୁରନ୍ତ ସମସ୍ୟାର ସ୍ଥାୟୀ ସମାଧାନ ଦାବି କରିଛନ୍ତି । ଯଦି ଶୀଘ୍ର ସମାଧାନ ନହୁଏ, ତେବେ ଆଗାମୀ ଦିନରେ Tata Power ଅଫିସ୍ ସମ୍ମୁଖରେ ଧାରଣା ଓ ବିକ୍ଷୋଭ କରାଯିବ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକ।

Leave a Reply

Your email address will not be published. Required fields are marked *