ଅଧିକାଂଶ ଲୋକଙ୍କ ଚା ଏବଂ କଫି ପ୍ରିୟ ହୋଇଥାଏ । ପ୍ରାୟ ସବୁ ଲୋକ ଚା କିମ୍ବା କଫି ସହିତ ସକାଳର ଆରମ୍ଭ କରିଥାନ୍ତି । ଚା ହେଉ ବା କଫି, ଯାହା ବି ହେଉନା କାହିଁକି ପିଇଦେବା ମାତ୍ରେ ରିଲାକ୍ସ ଏବଂ ଫ୍ରେସ୍ ଅନୁଭବ ହୁଏ । ବର୍ତ୍ତମାନ ସମୟରେ ଚା ଅପେକ୍ଷା କଫି ପିଇବାକୁ ଲୋକେ ଅଧିକ ପସନ୍ଦ କରନ୍ତି । କଫି ଅପେକ୍ଷା ବ୍ଲାକ୍ କଫି ଶରୀର ପାଇଁ ଅଧିକ ଲାଭକାରୀ ହୋଇଥାଏ ବୋଲି ବିବେଚନା କରାଯାଇଛି ।

ବର୍ତ୍ତମାନ ଲୋକଙ୍କ ମଧ୍ୟରେ ବ୍ଲାକ୍ କଫି ପିଇବାର ଅଭ୍ୟାସ୍ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଯାହା ଆମ ସ୍ବାସ୍ଥ୍ୟ ପାଇଁ ହିତକର ହୋଇଥାଏ । ଯଦି କଫି ସୀମିତ ପରିମାଣରେ ଏବଂ ସଠିକ୍ ଉପାୟରେ ପିଆଯାଏ, ତେବେ ଶରୀରକୁ ଅନେକ ଲାଭ ମିଳିଥାଏ । ବ୍ଲାକ୍ କଫି ଲିଭର ପାଇଁ ବହୁତ ଉତ୍ତମ ହୋଇଥାଏ । ଏଥି ସହ ଏହା ମୁଣ୍ଡବିନ୍ଧାରୁ ମୁକ୍ତି ଦିଏ ଏବଂ ମେଟାବୋଲିଜିମକୁ ତ୍ୱରାନ୍ୱିତ କରେ । ବ୍ଲାକ୍ କଫି ପାଚନ ଶକ୍ତି ବୃଦ୍ଧି କରିବା ପାଇଁ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଆସୁଛି । ଆପଣମାନେ ଜାଣିରଖନ୍ତୁ ଯେ, ଓଜନ ହ୍ରାସ କରିବା ପାଇଁ ମଧ୍ୟ ଲୋକମାନେ ବ୍ଲାକ୍ କଫି ପିଇଥାଆନ୍ତି । ବ୍ଲାକ୍ କଫି ପିଇବାର ସଠିକ୍ ସମୟ ଏବଂ ଜଣେ ଦିନରେ କେତେ କପ୍ ବ୍ଲାକ୍ କଫି ପିଇବା ଉଚିତ୍ ଆସନ୍ତୁ ଜାଣିବା ।
ଯଦି ଆପଣଙ୍କର ସକାଳେ ଉଠିବା ମାତ୍ରେ ଚା କିମ୍ବା କଫି ପିଇବାର ଅଭ୍ୟାସ ଅଛି, ତେବେ ଏହା ସ୍ୱାସ୍ଥ୍ୟ ପାଇଁ ଅହିତକର ହୋଇଥାଏ । ସକାଳେ ଖାଲି ପେଟରେ ଏହା ପିଇବା ଦ୍ବାରା ଆମର ଲାଭ କରିବା ପରିବର୍ତ୍ତେ କ୍ଷତି କରିପାରେ । ଏହା ଗ୍ୟାସ୍, ଏସିଡିଟି, ପେଟ ଫୁଲିବା, କୋଷ୍ଠକାଠିନ୍ୟ,ପାଚନ ସମସ୍ୟା ଭଳି ଅନେକ ରୋଗ ମଧ୍ୟ ସୃଷ୍ଟି କରିଥାଏ । ବିଶେଜ୍ଞଙ୍କ ମତରେ, ସକାଳେ ଖାଲି ପେଟରେ ବ୍ଲାକ୍ କଫି ପିଇବାଠାରୁ ଦୂରେଇ ରହିବା ଉଚିତ । ଯଦି ଆପଣଙ୍କର କଫି କିମ୍ବା ଚା ପିଇବାର ଅଭ୍ୟାସ ଅଛି ତେବେ ସକାଳର ଜଳଖିଆ ପରେ ପିଅନ୍ତୁ । ସକାଳେ ଏକ ହେଲଦି ଖାଦ୍ୟ ଖାଇବାର ଅଧ ଘଣ୍ଟା ପରେ କଫି କିମ୍ବା ଚା ପିଇପାରିବେ । ଫଳରେ କୌଣସି ଅସୁବିଧା ହେବ ନାହିଁ । ତେଣୁ, ଜଳଖିଆ ପରେ କଫି ପିଇବାର ସର୍ବୋତ୍ତମ ସମୟ ବୋଲି ବିବେଚନା କରାଯାଇଛି । ଏହା ଶରୀରକୁ କ୍ଷତି ପହଞ୍ଚାଏ ନାହିଁ ବରଂ ଲାଭ ଦେଇଥାଏ ।
