ଓଡ଼ିଶାର ଡିଜିପି ଚୟନ ନେଇ ପୁଣି ୨୨ ତାରିଖକୁ ଘୁଞ୍ଚିଛି ସୁପ୍ରିମକୋର୍ଟର ଶୁଣାଣି । ସୁପ୍ରିମକୋର୍ଟରେ ମାମଲା ଚାଲିଥିବାରୁ ରାଜ୍ୟରେ ଏ ଯାଏଁ ପୂର୍ଣ୍ଣକାଳୀନ ଡିଜିପି ନିଯୁକ୍ତ କରିନାହାନ୍ତି ସରକାର । ରାଜ୍ୟ ସରକାର ଡିଜିପି ଚୟନ କ୍ଷେତ୍ରରେ ୨୦୦୬ ପ୍ରକାଶ ସିଂ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ରାୟକୁ ଅନୁପାଳନକରି ନ ଥିବା ଅଭିଯୋଗକରି ବାଲେଶ୍ୱରର ଜୟନ୍ତ ଦାସ ଏକ ପିଆଇଏଲ୍ ଫାଇଲ କରିଥିଲେ। ଏହାକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆମିକସ୍କ୍ୟୁରି ୨ଟି ରିପୋର୍ଟ ମଧ୍ୟ ଦାଖଲ କରିସାରିଛନ୍ତି। ସରକାର ୨ ଜଣ ଏଡିଜି ପାହ୍ୟାର ଅଧିକାରୀଙ୍କୁ ଡିଜି ପାହ୍ୟାକୁ ଯେଉଁଭଳି ପଦୋନ୍ନତି ଦେଇଛନ୍ତି ତାକୁ ନେଇ ମଧ୍ୟ ଅମିକସ୍କ୍ୟୁରି ପ୍ରଶ୍ନ ଉଠାଇଛନ୍ତି।

ଏହି ଘଟଣାରେ କେନ୍ଦ୍ରର ପୂର୍ବତନ ଗୋଇନ୍ଦା ସ୍ବତନ୍ତ୍ର ନିର୍ଦ୍ଦେଶକ ଯଶବର୍ଦ୍ଧନ ଝା ଆଜାଦ ମଧ୍ୟ ଓଡ଼ିଶା ସରକାର ଡିଜିପି ଚୟନ ବିଷୟରେ ସ୍ବଚ୍ଛତା ରଖିନାହାନ୍ତି ବୋଲି ସୁପ୍ରିମକୋର୍ଟଙ୍କୁ ଏକ ଚିଠି ଲେଖି ଜଣାଇଥିଲେ। ସେଥିରେ ସେ ଆହୁରି କହିଥିଲେ, ଯଦି ଓଡ଼ିଶା ସରକାର ଏଭଳି ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ଡିଜିପି ଚୟନ କରିବେ ନାହିଁ, ତେବେ ଆଗକୁ ଅନ୍ୟ ରାଜ୍ୟରେ ମଧ୍ୟ ବ୍ୟତିକ୍ରମ ଦେଖାଯିବ। ଅନ୍ୟପଟେ ମେ ୧୪ରେ ରାଜ୍ୟ ସରକାର ଡିଜିପି ପଦ ଲାଗି ପ୍ରସ୍ତୁତ କରିଥିବା ୧୧ ଜଣିଆ ଆଇପିଏସ୍ ଅଫିସରଙ୍କ ତାଲିକାରୁ ଶେଷ ମୁହୂର୍ତ୍ତରେ ୧୯୯୩ ବ୍ୟାଚ୍ ଆଇପିଏସ୍ ଅଫିସର ତଥା ବର୍ତ୍ତମାନ ଓଡ଼ିଶାର ଜେଲ ଡିଜି ଥିବା ସୁଶାନ୍ତ କୁମାର ନାଥଙ୍କ ସ୍ବଚ୍ଛତା ପ୍ରମାଣପତ୍ର ପ୍ରତ୍ୟାହାର କରିଥିଲେ। ଫଳରେ ଡିଜିପି ପଦବୀ ଦୌଡ଼ରୁ ନାଥ ବାଦ୍ ପଡ଼ିଯାଇଛନ୍ତି। ଜଣେ ଡିଜିପି ପଦର ଆଶାୟୀଙ୍କୁ ତାଲିକାରୁ ବାଦ୍ଦେବା ଲାଗି ଯେଉଁ ନିୟମ ରହିଛି ତାକୁ ସରକାର ଠିକ୍ ଢଙ୍ଗରେ ସୁଶାନ୍ତ ନାଥଙ୍କ କ୍ଷେତ୍ରରେ ପାଳନ କରାଯାଇ ନ ଥିବା ଅଭିଯୋଗ ହୋଇଛି। ରାଜ୍ୟ ସରକାର ତାଙ୍କ ପ୍ରତି ଅନ୍ୟାୟ କରିଥିବା ଦର୍ଶାଇ ସୁଶାନ୍ତ ଏହି ମାମଲାରେ ଗତ ୭ ତାରିଖରେ ନିଜକୁ ସୁପ୍ରିମକୋର୍ଟରେ ଏକ ପକ୍ଷ କରିଛନ୍ତି।
