ଲଗାଣ ବର୍ଷାରେ ପୁଣି ଭୂସ୍ଖଳନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କଳିଙ୍ଗା ଘାଟି

ଲଗାଣ ବର୍ଷା ଯୋଗୁଁ ପୁଣିଥରେ କଳିଙ୍ଗା ଘାଟିରେ ଭୂସ୍ଖଳନ । ପ୍ରବଳ ବର୍ଷାରେ ଅନ୍ଧାରକୋଟ ବନଦୁର୍ଗା ମନ୍ଦିର ସମ୍ମୁଖରେ ନବନିର୍ମିତ ଗାର୍ଡ ୱାଲ୍ ଧସିଯାଇଛି। ଏହା ସହ ଲଗାଣ ବର୍ଷାରେ ଅସ୍ଥାୟୀ ରାସ୍ତା ମଧ୍ୟ ଧୋଇଯାଇଥିବାରୁ କଳିଙ୍ଗା ଘାଟି ଦେଇ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଛି। ଘଟଣା ପରେ ପ୍ରଶାସନ ପକ୍ଷରୁ ଘାଟିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ୍ କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ପାହାଡ଼ରୁ ମାଟି ଓ ପଥର ଖସିବାର ଆଶଙ୍କା ରହିଥିବାରୁ ଯାତାୟାତକୁ ନେଇ ପୂର୍ବରୁ ସତର୍କତା ଅବଲମ୍ବନ କରିଥିଲା ପ୍ରଶାସନ। ପୂର୍ବରୁ ମଧ୍ୟ କଳିଙ୍ଗା ଘାଟିରେ ଭୂସ୍ଖଳନ ଘଟିଥିଲା। ଏହାକୁ ଦୃଷ୍ଟିରେ ରଖି ଘାଟିକୁ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଥିଲା। ପରେ ରାସ୍ତା ମରାମତି କରାଯାଇ ଯାତାୟାତ ସ୍ୱାଭାବିକ କରିବାକୁ ପଦକ୍ଷେପ ନିଆଯାଇଥିଲା।

ତେବେ ଚଳିତ ବର୍ଷ ଲଗାଣ ବର୍ଷା ଯୋଗୁଁ ପୁଣିଥରେ ଘାଟିରେ ଭୂସ୍ଖଳନ ଘଟିଛି। ଅନ୍ଧାରକୋଟ ବନଦୁର୍ଗା ମନ୍ଦିର ସମ୍ମୁଖରେ ନବନିର୍ମିତ ଗାର୍ଡ ୱାଲ୍ ଧସିଯିବା ସହ ରାସ୍ତାର କିଛି ଅଂଶ ପ୍ରଭାବିତ ହୋଇଛି। ବର୍ତ୍ତମାନର ଘଟଣା ପରେ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗାର୍ଡ ୱାଲ୍ ନିର୍ମାଣ କାମର ସ୍ଥିତି, ରାସ୍ତାର କ୍ଷୟକ୍ଷତି ଏବଂ ବର୍ଷା ପରେ ଘାଟିରେ ସୃଷ୍ଟି ହୋଇଥିବା ବିପଦ ସମ୍ପର୍କରେ ଯାଞ୍ଚ କରାଯାଉଛି।

ଜିଲ୍ଲାପାଳଙ୍କ କହିବା ଅନୁଯାୟୀ, ବର୍ଷା ଛାଡ଼ିବା ପରେ ଘଟଣାସ୍ଥଳର ସମ୍ପୂର୍ଣ୍ଣ ସ୍ଥିତି ଅନୁଧ୍ୟାନ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ରାସ୍ତାର ସୁରକ୍ଷା ଓ ଯାତ୍ରୀଙ୍କ ଜୀବନ ପ୍ରତି ବିପଦକୁ ଦୃଷ୍ଟିରେ ରଖି କଳିଙ୍ଗା ଘାଟିକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ ରଖାଯାଇଛି। ପରିସ୍ଥିତି ସ୍ୱାଭାବିକ ହେବା ପରେ ରାସ୍ତା ମରାମତି ଓ ଯାତାୟାତ ସ୍ୱାଭାବିକ କରିବା ନେଇ ନିଷ୍ପତ୍ତି ନିଆଯିବ।

Leave a Reply

Your email address will not be published. Required fields are marked *