୨ ହଜାର ଟଙ୍କାରୁ ଅଧିକ ମୂଲ୍ୟର UPI କାରବାର ଉପରେ ୦.୪ ପ୍ରତିଶତ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ ଲାଗୁ କରିବା ସମ୍ପର୍କିତ ବ୍ୟବସ୍ଥା ଉପରେ ତୁରନ୍ତ ରୋକ୍ ଲଗାଇବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ। ତେବେ ଏହି ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲା ଉପରେ କୋର୍ଟ କେନ୍ଦ୍ର ସରକାର, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆକୁ ନୋଟିସ ଜାରି କରିଛନ୍ତି।

ଆବେଦନକାରୀ ଅଞ୍ଜନ ଦତ୍ତ ୨ ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ୦.୪ ପ୍ରତିଶତ MDR ଲାଗୁ କରିବା ସମ୍ପର୍କିତ ଅଧିସୂଚନାକୁ ଚ୍ୟାଲେଞ୍ଜ କରି PIL ଦାଖଲ କରିଥିଲେ। ଆବେଦନରେ ଦାବି କରାଯାଇଛି ଯେ, ଏହି ବ୍ୟବସ୍ଥା ଲାଗୁ କରିବା ପୂର୍ବରୁ ଆବଶ୍ୟକ ଆଲୋଚନା ଏବଂ ଆଇନଗତ ପ୍ରକ୍ରିୟା ପାଳନ କରାଯାଇନାହିଁ। ଆବେଦନକାରୀଙ୍କ ଯୁକ୍ତି ଅନୁଯାୟୀ, MDR ଲାଗୁ ହେଲେ ବିଶେଷକରି ଛୋଟ ବ୍ୟବସାୟୀମାନଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିପାରେ। ଏହା ସହିତ UPI ପେମେଣ୍ଟରେ ଅତିରିକ୍ତ ଶୁଳ୍କ ଲାଗିଲେ ଗ୍ରାହକ ଓ ବ୍ୟବସାୟୀଙ୍କ ମଧ୍ୟରେ ନଗଦ କାରବାର ପ୍ରତି ଆଗ୍ରହ ବଢ଼ିପାରେ ବୋଲି ମଧ୍ୟ ଯୁକ୍ତି ରହିଛି । ଏହା ଦେଶର ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ପ୍ରଭାବିତ କରିପାରେ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।

ସୁପ୍ରିମକୋର୍ଟ କେନ୍ଦ୍ର ସରକାର, RBI ଏବଂ NPCIକୁ ଚାରି ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କହିଛନ୍ତି। ଜବାବ ମିଳିବା ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ବର୍ତ୍ତମାନ ପର୍ଯ୍ୟାୟରେ କୋର୍ଟ MDR ବ୍ୟବସ୍ଥା ଉପରେ କୌଣସି ଅନ୍ତରୀଣ ରୋକ୍ ଲଗାଇନାହାନ୍ତି।
