ରାଜ୍ୟରେ ଆଗାମୀ ୪ ଦିନ ପାଇଁ ବର୍ଷା ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆଜିଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ସମ୍ପୃକ୍ତ ଜିଲ୍ଲାଗୁଡ଼ିକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି ନୟାଗଡ଼, ଗଞ୍ଜାମ, ଗଜପତି, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ବର୍ଷା ହେବାର ଆଶଙ୍କା ରହିଛି। ସେହିପରି ୧୫ ତାରିଖରେ ରାଜ୍ୟର ୮ଟି ଜିଲ୍ଲାକୁ ବର୍ଷା ଆଲର୍ଟ ଜାରି ହୋଇଛି। ୧୬ ତାରିଖରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାର ୬ଟି ଜିଲ୍ଲାରେ ବର୍ଷା ସମ୍ଭାବନା ଥିବାବେଳେ ୧୭ ତାରିଖରେ ମଧ୍ୟ ୮ଟି ଜିଲ୍ଲାରେ ବର୍ଷା ହୋଇପାରେ। ଅନ୍ୟପକ୍ଷରେ, ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଆଉ ସକ୍ରିୟ ନଥିବାରୁ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା କମିଛି। ତେବେ ଲଘୁଚାପ ଆଶଙ୍କା ହ୍ରାସ ପାଇଥିଲେ ମଧ୍ୟ ରାଜ୍ୟରୁ ବର୍ଷା ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବ ନାହିଁ।
ବାୟୁର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି। ବିଶେଷକରି ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ଝିପିଝିପି ବର୍ଷା ହେଉଛି। ଘଡ଼ଘଡ଼ି ସମୟରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ। ତେଣୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି। ଏହାସହ ରାଜ୍ୟରୁ ଧୀରେ ଧୀରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରୁଛି। ଆଗାମୀ ଦୁଇ ଦିନ ମଧ୍ୟରେ ଦେଶର ଅବଶିଷ୍ଟ ଅଞ୍ଚଳରୁ ମୌସୁମୀ ଫେରିବା ପାଇଁ ପାଗ ଅନୁକୂଳ ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
