UPI କାରବାର ଉପରେ ଲାଗୁ ହେବାକୁ ଥିବା ନୂଆ ଶୁଳ୍କ ନିଷ୍ପତ୍ତିକୁ ଦୀପାବଳି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଅକ୍ଟୋବର ୧୫, ୨୦୨୬ରୁ ଏହି ନିୟମ ଲାଗୁ ହେବାର ଥିବାବେଳେ, ଜାତୀୟ ପେମେଣ୍ଟ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଏହାକୁ ଘୁଞ୍ଚାଇବା ନେଇ ସୂଚନା ଦେଇଛି । ପାର୍ବଣ ଋତୁରେ ବ୍ୟବସାୟୀଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ନ ପଡ଼ିବାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। UPI ପେମେଣ୍ଟ ଉପରେ ଚାର୍ଜ ଲାଗୁ ନିଷ୍ପତ୍ତିକୁ ସ୍ଥଗିତ ରଖିବା ପାଇଁ ବ୍ୟବସାୟୀମାନେ ଦୀର୍ଘଦିନ ଧରି ଦାବି କରିଆସୁଥିଲେ।

ସୂଚନା ଅନୁଯାୟୀ, NPCI ନିଜର ଅଫିସିଆଲ୍ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ରେ ଏହି ସୂଚନା ସେୟାର କରିଛି। ଏଥିରେ ଚୟନିତ ମର୍ଚ୍ଚାଣ୍ଟ ଟ୍ରାଞ୍ଜାକ୍ସନ୍ ଉପରେ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR) ଲାଗୁ କରିବା ନିଷ୍ପତ୍ତିକୁ ଦୀପାବଳି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିବା କୁହାଯାଇଛି। ଫଳରେ, ୨,୦୦୦ ଟଙ୍କାରୁ ଅଧିକ ମୂଲ୍ୟର କିଛି ୟୁପିଆଇ କାରବାର ଉପରେ ଅକ୍ଟୋବର ୧୫ରୁ ଲାଗୁ ହେବାକୁ ଥିବା ଶୁଳ୍କ ବର୍ତ୍ତମାନ ପାଇଁ ଲାଗୁ ହେବ ନାହିଁ।
ପ୍ରସ୍ତାବିତ ବ୍ୟବସ୍ଥା ଅନୁଯାୟୀ, ୨,୦୦୦ ଟଙ୍କାରୁ ଅଧିକ ମୂଲ୍ୟର କିଛି ମର୍ଚ୍ଚାଣ୍ଟ କାରବାର ଉପରେ ୦.୪ ପ୍ରତିଶତ MDR ଚାର୍ଜ ଲାଗୁ କରିବାର ପ୍ରସ୍ତାବ ରହିଥିଲା। ଉଦାହରଣ ସ୍ୱରୂପ, ଜଣେ ଗ୍ରାହକ ଦୋକାନରୁ ୫,୦୦୦ ଟଙ୍କାର ସାମଗ୍ରୀ କିଣି UPI ମାଧ୍ୟମରେ ପେମେଣ୍ଟ କଲେ, ପ୍ରସ୍ତାବିତ ୦.୪ ପ୍ରତିଶତ ହିସାବରେ ୨୦ ଟଙ୍କା ଶୁଳ୍କ ହୋଇଥାନ୍ତା। ତେବେ ଏହି ଚାର୍ଜ ସିଧାସଳଖ ଗ୍ରାହକଙ୍କଠାରୁ ଆଦାୟ କରିବାର ବ୍ୟବସ୍ଥା ନଥିଲା। ଏହାକୁ ମର୍ଚ୍ଚାଣ୍ଟ ବା ଦୋକାନୀଙ୍କୁ ବହନ କରିବାକୁ ପଡ଼ିଥାନ୍ତା।
ଏହାବ୍ୟତୀତ, ଟେଲିକମ୍, ବୀମା, ରେଳବାଇ ଓ ଇନ୍ଧନ ଭଳି କେତେକ କ୍ଷେତ୍ରରେ ୨,୦୦୦ ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ୫ ଟଙ୍କାର ନିର୍ଦ୍ଧାରିତ MDR ଶୁଳ୍କ ଲାଗୁ କରିବାର ମଧ୍ୟ ପ୍ରସ୍ତାବ ରହିଥିଲା। ଏହି ଶୁଳ୍କ ମଧ୍ୟ ମର୍ଚ୍ଚାଣ୍ଟଙ୍କୁ ଦେବାକୁ ପଡ଼ିଥାନ୍ତା। ବର୍ତ୍ତମାନ ଏହି ନିଷ୍ପତ୍ତି ସ୍ଥଗିତ ହେବା ଫଳରେ ପାର୍ବଣ ସମୟରେ ବ୍ୟବସାୟୀମାନେ ଆଶ୍ୱସ୍ତି ପାଇପାରିବେ। ତେବେ ନୂଆ ନିୟମ କେବେଠାରୁ ଲାଗୁ ହେବ, ସେନେଇ ପରବର୍ତ୍ତୀ ଘୋଷଣାକୁ ଅପେକ୍ଷା କରାଯାଇଛି।
