ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା, ଝଡ଼ ପବନ ଓ ରାସ୍ତାରେ ଜଳ ଜମିବାର ଆଶଙ୍କା ଥିବାରୁ ଯାନବାହନ ଚଳାଚଳ ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବିଶେଷକରି ବାତ୍ୟା ପ୍ରଭାବିତ ଅଞ୍ଚଳରେ ଯାତ୍ରୀବାହୀ ବସ୍ ସମେତ ଅନ୍ୟାନ୍ୟ ଯାନବାହନ ଚଳାଚଳ ସମୟରେ ଯାତ୍ରୀ ଓ ଚାଳକଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ, ଅତିରିକ୍ତ ଆରଟିଓ ଏବଂ ଏନଫୋର୍ସମେଣ୍ଟ ଅଧିକାରୀଙ୍କୁ ସତର୍କ ରହିବା ସହ ପରିବହନ ବ୍ୟବସ୍ଥା ଉପରେ ନଜର ରଖିବାକୁ କୁହାଯାଇଛି। ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ପଦକ୍ଷେପ ନେବା ସହ ସମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ରହିଛି।

ପ୍ରବଳ ବର୍ଷା, ପବନ, ରାସ୍ତାରେ ଜଳ ଜମିବା ଏବଂ ଗଛ ଉପୁଡ଼ିବାର ଆଶଙ୍କା ଥିବାରୁ ବିଶେଷକରି ରାତି ସମୟରେ ଯାନବାହନ ଚଳାଚଳ ବିପଜ୍ଜନକ ହୋଇପାରେ। ତେଣୁ ଜଳମଗ୍ନ ତଳିଆ ରାସ୍ତା ଓ ପାଣିରେ ବୁଡ଼ି ରହିଥିବା ପୋଲ ଉପରେ ଯାନବାହନ ଚଳାଚଳକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ବିପଦପୂର୍ଣ୍ଣ ସ୍ଥାନଗୁଡ଼ିକରେ ବ୍ୟାରିକେଡ୍ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ, ପୋଲିସ ଏବଂ ରାସ୍ତା କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରିବାକୁ କୁହାଯାଇଛି।
ଏଥିସହ ଏନଫୋର୍ସମେଣ୍ଟ ଟିମ୍, ସ୍ଥାନୀୟ ପୋଲିସ ଓ ରାଜପଥ ପାଟ୍ରୋଲିଂ ଟିମ୍କୁ ରାତ୍ରିକାଳୀନ ପାଟ୍ରୋଲିଂ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ବସ୍ ଓ ଟ୍ରକ୍ ମାଲିକ ସଂଘ ଏବଂ ବସ୍ ଟର୍ମିନାଲ୍ଗୁଡ଼ିକୁ ଅସୁରକ୍ଷିତ ରାସ୍ତା ସମ୍ପର୍କରେ ଅବଗତ କରାଯିବ। ଯେଉଁଠାରେ ଯାନବାହନ ଚଳାଚଳ ବନ୍ଦ କରାଯିବ, ସେଠାରେ ଯାତ୍ରୀଙ୍କ ପାଇଁ ସୁରକ୍ଷିତ ଆଶ୍ରୟସ୍ଥଳର ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।
