ପବିତ୍ର କାର୍ତ୍ତିକ ମାସ ଆରମ୍ଭ, ହବିଷ୍ୟାଳୀଙ୍କ ପାଇଁ ପୁରୀରେ ସ୍ୱତନ୍ତ୍ର ବ୍ୟବସ୍ଥା

ଓଡ଼ିଆ ବାର ମାସ ମଧ୍ୟରେ କାର୍ତ୍ତିକ ମାସକୁ ଧର୍ମ, ଭକ୍ତି ଓ ଆଧ୍ୟାତ୍ମିକ ସାଧନାର ମାସ ଭାବେ ବିବେଚନା କରାଯାଏ। ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ମାସ। ଏହି ମାସରେ ହବିଷ ବ୍ରତ ପାଳନ କରିବା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚିଛନ୍ତି ଶତାଧିକ ହବିଷ୍ୟାଳୀ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ, ପୂଜାର୍ଚ୍ଚନା ଓ ଧାର୍ମିକ ରୀତିନୀତି ପାଳନ କରିବା ଲକ୍ଷ୍ୟରେ ହବିଷ୍ୟାଳୀମାନେ ଶ୍ରୀକ୍ଷେତ୍ରରେ ଏକତ୍ରିତ ହୋଇଛନ୍ତି।

ହବିଷ୍ୟାଳୀମାନଙ୍କ ରହଣି, ଖାଦ୍ୟପେୟ ଓ ମହାପ୍ରଭୁଙ୍କ ଦର୍ଶନକୁ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସରକାର ଏବଂ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରାୟ ୨୪ ଶହ ହବିଷ୍ୟାଳୀଙ୍କୁ ଶିବିରରେ ରଖି ବିଭିନ୍ନ ସୁବିଧା ଯୋଗାଇଦେବା ପାଇଁ ଚୟନ କରାଯାଇଛି। ସେମାନଙ୍କ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗର ବ୍ୟବସ୍ଥା ହୋଇଛି। ଆଜିଠାରୁ ନଭେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ହବିଷ ବ୍ରତ ଚାଲିବ। ଏହି ସମୟରେ ହବିଷ୍ୟାଳୀଙ୍କ ସୁବିଧା, ସୁରକ୍ଷା ଓ ଧାର୍ମିକ ଆଚରଣକୁ ସୁନିଶ୍ଚିତ କରିବା ପ୍ରଶାସନର ପ୍ରମୁଖ ଲକ୍ଷ୍ୟ ରହିଛି।

ହବିଷ୍ୟାଳୀ ମାଆମାନେ ଯେପରି ସୁବିଧାରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ, ସେଥିପାଇଁ ସ୍ୱତନ୍ତ୍ର ଲାଇନ୍ ବ୍ୟବସ୍ଥା କରାଯାଇଛି। ଏହାସହ ତୀର୍ଥ ପୁଷ୍କରିଣୀରେ ସୁରକ୍ଷିତ ସ୍ନାନ ପାଇଁ ବ୍ୟାରିକେଡ୍ ନିର୍ମାଣ କରାଯାଇଛି। ଶିବିରରେ ରହୁଥିବା ହବିଷ୍ୟାଳୀଙ୍କୁ ନିୟମିତ ସହାୟତା ଯୋଗାଇଦେବା ସହ ସେମାନଙ୍କ ସୁରକ୍ଷା ଉପରେ ମଧ୍ୟ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇଛି। ଏଥିସହ ସମସ୍ତ ହବିଷ୍ୟାଳୀଙ୍କ ପାଇଁ ଜଗନ୍ନାଥ ଦର୍ଶନ ଓ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି।

ଅନ୍ୟପଟେ, ହବିଷ୍ୟାଳୀ ମାଆମାନଙ୍କ ସେବାକୁ ପବିତ୍ର କର୍ତ୍ତବ୍ୟ ଭାବେ ଗ୍ରହଣ କରି ସହଯୋଗ କରିବାକୁ ସ୍ୱେଚ୍ଛାସେବୀମାନଙ୍କୁ ଆହ୍ୱାନ ଦେଇଛନ୍ତି ପୁରୀ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା। ହବିଷ୍ୟାଳୀଙ୍କ ସୁରକ୍ଷା ପାଇଁ ପୋଲିସ ପ୍ରଶାସନ ମଧ୍ୟ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି। ଶ୍ରୀକ୍ଷେତ୍ରରେ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି କେନ୍ଦ୍ରାଞ୍ଚଳ ଆଇଜି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *