ପୁଣି ଆସୁଛି କି ବାତ୍ୟା? ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ

ବଙ୍ଗୋପସାଗରରେ ପୁଣି ଏକ ବାତ୍ୟା ଆଶଙ୍କାକୁ ନେଇ ବଢ଼ିଲା ଚିନ୍ତା। ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ପାଣିପାଗ ବିଜ୍ଞାନୀଙ୍କ ନଜରରେ। ଏହାର ପ୍ରଭାବରେ ଦକ୍ଷିଣ ବଙ୍ଗୋପସାଗରରେ ଏକ ନୂଆ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ଯଦି ଏହା ଧୀରେ ଧୀରେ ଶକ୍ତିଶାଳୀ ହୁଏ, ତେବେ ଆଗକୁ ଅବପାତ କିମ୍ବା ବାତ୍ୟାର ରୂପ ନେବା ନେଇ ଆଶଙ୍କା ରହିଛି। ତେବେ ବର୍ତ୍ତମାନ ସୁଦ୍ଧା ବାତ୍ୟା ନେଇ କୌଣସି ନିଶ୍ଚିତ ସୂଚନା ମିଳିନାହିଁ।

ସମୁଦ୍ର ଉପରେ ବାୟୁମଣ୍ଡଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେଲେ ଏହା ଚାରିପାଖରୁ ଆର୍ଦ୍ର ବାୟୁକୁ ଆକର୍ଷିତ କରେ। ସମୁଦ୍ରର ଉଷ୍ମତା ଓ ଜଳୀୟବାଷ୍ପ ମିଳିଲେ ଏହା ଧୀରେ ଧୀରେ ଶକ୍ତି ସଞ୍ଚୟ କରିପାରେ। ଫଳରେ ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତ ଏବଂ ଅନୁକୂଳ ପରିସ୍ଥିତିରେ ବାତ୍ୟାର ରୂପ ନେଇପାରେ। ପାଣିପାଗ ଆକଳନ ଅନୁସାରେ, ଆସନ୍ତାକାଲି ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ। ଏହା ପରେ ଲଘୁଚାପଟି ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ଆସନ୍ତା ୧୪ ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ସେହିପରି ୧୫ ତାରିଖ ବେଳକୁ ଏହା ଆହୁରି ଶକ୍ତିଶାଳୀ ହୋଇ ଅବପାତର ରୂପ ନେଇପାରେ। ଅବପାତ ହେଉଛି ଲଘୁଚାପର ଏକ ଅଧିକ ଶକ୍ତିଶାଳୀ ଅବସ୍ଥା। ଏହି ସମୟରେ ପବନର ବେଗ ବଢ଼ିବା ସହ ବର୍ଷାର ସମ୍ଭାବନା ମଧ୍ୟ ବଢ଼ିଥାଏ। ତେବେ ଏହା କେତେ ଶକ୍ତିଶାଳୀ ହେବ ଏବଂ କେଉଁ ଦିଗକୁ ଗତି କରିବ, ତାହା ଏବେ ଆକଳନ କରିବା ସମ୍ଭବ ହୋଇନାହିଁ।

ସବୁଠାରୁ ବଡ଼ କଥା ହେଉଛି, ଏହା ବାତ୍ୟାର ରୂପ ନେବ କି ନାହିଁ, ସେନେଇ ଏବେଠାରୁ କିଛି ସ୍ପଷ୍ଟ କହିହେବ ନାହିଁ। କିଛି ବିଦେଶୀ ପାଣିପାଗ ମଡେଲ୍ ଏହା ବାତ୍ୟାରେ ପରିଣତ ହେବାର ସଙ୍କେତ ଦେଉଛନ୍ତି। କିନ୍ତୁ ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି ଏଯାଏଁ ବାତ୍ୟା ନେଇ କୌଣସି ନିଶ୍ଚିତ ପୂର୍ବାନୁମାନ କରିନାହିଁ। ତେଣୁ କେବଳ ବିଦେଶୀ ମଡେଲ୍‌ର ଆକଳନକୁ ଆଧାର କରି ବାତ୍ୟା ଆସୁଥିବା ନିଷ୍କର୍ଷରେ ପହଞ୍ଚିବା ଠିକ୍ ହେବ ନାହିଁ। ଆଗାମୀ ଦୁଇରୁ ତିନି ଦିନ ଏହି ଘୂର୍ଣ୍ଣିବଳୟର ଗତିବିଧି ଉପରେ ନଜର ରହିବ। ଏବେ ସମସ୍ତଙ୍କ ନଜର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଏହି ଲଘୁଚାପ ଉପରେ। ଏହାର ପରବର୍ତ୍ତୀ ଗତିପଥ କ’ଣ ରହିବ ଏବଂ ଓଡ଼ିଶା ଉପରେ ଏହାର କି ପ୍ରଭାବ ପଡ଼ିବ, ତାହା ଆଗାମୀ ପାଣିପାଗ ଆକଳନରୁ ସ୍ପଷ୍ଟ ହେବ। ସେପର୍ଯ୍ୟନ୍ତ ପାଣିପାଗ ବିଭାଗର ପରବର୍ତ୍ତୀ ସୂଚନାକୁ ଅପେକ୍ଷା।

Leave a Reply

Your email address will not be published. Required fields are marked *