ବର୍ତ୍ତମାନ ହ୍ୱାଟ୍ସଆପ୍ ଜରିଆରେ ଟଙ୍କା ରୋଜଗାରର ଲୋଭ ଦେଖାଇ ଲୋକଙ୍କୁ ଠକେଇ କରାଯାଉଛି। ଅଜଣା ନମ୍ବରରୁ ହ୍ୱାଟ୍ସଆପ୍କୁ ମେସେଜ୍ ଆସୁଛି। ଏଥିରେ ଘରେ ବସି ପାର୍ଟ ଟାଇମ୍ ଚାକିରି କରିବା, ଭିଡିଓ ଲାଇକ୍ କରିବା, ୟୁଟ୍ୟୁବ୍ ଚ୍ୟାନେଲ୍ ସବସ୍କ୍ରାଇବ୍ କରିବା କିମ୍ବା ଅନଲାଇନ୍ ରିଭ୍ୟୁ ଦେବା ବଦଳରେ ମୋଟା ଅଙ୍କର ଟଙ୍କା ମିଳିବ ବୋଲି କୁହାଯାଉଛି। ତେବେ ସାବଧାନ! ଆପଣଙ୍କ ଏହି ଇଚ୍ଛାକୁ ଠକେଇର ଅସ୍ତ୍ର କରୁଛନ୍ତି ସାଇବର ଅପରାଧୀ।

ପ୍ରଥମେ ଠକମାନେ ଛୋଟ ଛୋଟ ଟାସ୍କ ଦେଇ କିଛି ଟଙ୍କା ମଧ୍ୟ ଦେଇଥାନ୍ତି। ଏହାଦ୍ୱାରା ଲୋକଙ୍କ ବିଶ୍ୱାସ ଜିତିଥାନ୍ତି। ପରେ ଅଧିକ ଟଙ୍କା ରୋଜଗାରର ଲୋଭ ଦେଖାଇ ନିବେଶ କରିବାକୁ କୁହନ୍ତି। ଥରେ ଟଙ୍କା ଜମା କରିବା ପରେ ଆକାଉଣ୍ଟରେ ଅଧିକ ଲାଭ ଦେଖାଇ ଆଉ ଟଙ୍କା ମାଗନ୍ତି। ହେଲେ ଟଙ୍କା ଉଠାଇବା ସମୟରେ ବିଭିନ୍ନ ଆଳ ଦେଖାଇ ଆକାଉଣ୍ଟ ବ୍ଲକ୍ କରିଦିଅନ୍ତି। ଏପରିକି ଠକମାନେ ଉଭାନ ହୋଇଯାଆନ୍ତି। ଏଭଳି ସାଇବର ଠକେଇକୁ ନେଇ ପୁଲିସ ପକ୍ଷରୁ ଲୋକଙ୍କୁ ସତର୍କ କରାଯାଇଛି। ଅଜଣା ନମ୍ବରରୁ ଆସୁଥିବା ଚାକିରି ଅଫର୍କୁ ଯାଞ୍ଚ ନକରି ବିଶ୍ୱାସ କରନ୍ତୁ ନାହିଁ। କାହାକୁ OTP, ବ୍ୟାଙ୍କ ତଥ୍ୟ କିମ୍ବା UPI PIN ଦିଅନ୍ତୁ ନାହିଁ। ଅଜଣା ଲିଙ୍କ୍ରେ କ୍ଲିକ୍ କରନ୍ତୁ ନାହିଁ ଏବଂ ଚାକିରି ପାଇଁ ଆଗୁଆ ଟଙ୍କା ଦିଅନ୍ତୁ ନାହିଁ।
ଯଦି ଆପଣ ସାଇବର ଠକେଇର ଶିକାର ହେଉଛନ୍ତି, ତୁରନ୍ତ ୧୯୩୦ ନମ୍ବରକୁ କଲ୍ କରନ୍ତୁ କିମ୍ବା cybercrime.gov.in ରେ ଅଭିଯୋଗ କରନ୍ତୁ। ମନେରଖନ୍ତୁ, ସହଜରେ ଅଧିକ ଟଙ୍କା ରୋଜଗାରର ଲୋଭ ଆପଣଙ୍କ କଷ୍ଟ ଉପାର୍ଜିତ ଧନକୁ ମୁହୂର୍ତ୍ତକରେ ଲୁଟି ନେଇପାରେ। ତେଣୁ ସଚେତନ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।
