ସ୍ମାର୍ଟ ସିଟିରେ ପ୍ରଦୂଷଣର ଛାୟା, ଚିନ୍ତା ବଢ଼ାଇଲା AQI!

ଦିଲ୍ଲୀକୁ ଟକ୍କର ଦେଉଛି ଓଡ଼ିଶାର ରାଜଧାନୀ ଭୁବନେଶ୍ୱର! ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ରାଜଧାନୀର ବାୟୁର ମାନ । ବାୟୁ ପ୍ରଦୂଷଣ ବଢ଼ିବା ସହ ବିପଜ୍ଜନକ ସ୍ତରରେ ପହଞ୍ଚିଛି ଏୟାର କ୍ୱାଲିଟି ଇଣ୍ଡେକ୍ସ ବା AQI। ଯାହାକୁ ନେଇ ଏବେ ଚିନ୍ତାରେ ପରିବେଶବିତ୍ ଓ ସାଧାରଣ ଲୋକ। ହଠାତ୍ ଭୁବନେଶ୍ୱରର ବାୟୁ ଏତେ ପ୍ରଦୂଷିତ ହେଲା କାହିଁକି? ଏହା ପଛରେ ରହିଛି ଅନେକ କାରଣ। ଦିନକୁ ଦିନ ଗାଡ଼ିମୋଟର ସଂଖ୍ୟା ବଢ଼ିବା, ନିର୍ମାଣ କାର୍ଯ୍ୟରୁ ବାହାରୁଥିବା ଧୂଳି, ଶିଳ୍ପାନୁଷ୍ଠାନରୁ ନିର୍ଗତ ଧୂଆଁ ଏବଂ ରାସ୍ତାରେ ଜମି ରହୁଥିବା ଧୂଳିକଣା ବାୟୁ ପ୍ରଦୂଷଣର ପ୍ରମୁଖ କାରଣ ହୋଇପାରେ।

ବର୍ତ୍ତମାନ ବାୟୁ ପ୍ରଦୂଷଣ ବଢ଼ିବାର ତତ୍କାଳୀନ ପ୍ରମୁଖ କାରଣ ହେଉଛି ଦୀପାବଳିରେ ଫୁଟାଯାଇଥିବା ବାଣ। ବାଣ ଫୁଟିବା ଦ୍ୱାରା ବାୟୁମଣ୍ଡଳରେ ବିପୁଳ ପରିମାଣର ଧୂଆଁ ଓ କ୍ଷୁଦ୍ର ଧୂଳିକଣା ମିଶିଥାଏ। ଫଳରେ ବାୟୁର ଗୁଣବତ୍ତା ହଠାତ୍ ଖରାପ ହୋଇଯାଏ। ରିପୋର୍ଟ ଅନୁସାରେ, ଦୀପାବଳି ରାତି ପ୍ରାୟ ୯ଟାରେ ଭୁବନେଶ୍ୱରର AQI ୧୦୯୧ରେ ପହଞ୍ଚିଥିବା ବେଳେ ଦିଲ୍ଲୀର AQI ଥିଲା ୭୨୦। ରାତି ପ୍ରାୟ ୧୧ଟାରେ ଭୁବନେଶ୍ୱରର AQI ୧୪୪୪ ଛୁଇଁଥିବା ମଧ୍ୟ ରିପୋର୍ଟ ହୋଇଛି। ଏହି ତଥ୍ୟ AQI.in ଆଧାରିତ ଏବଂ ଅନ୍ୟ ମନିଟରିଂ ପ୍ଲାଟଫର୍ମରେ ଭିନ୍ନ ରିଡିଂ ଦେଖାଯାଇଛି। ଏବେ ଜାଣିବା AQI କ’ଣ? AQI ହେଉଛି ଏୟାର କ୍ୱାଲିଟି ଇଣ୍ଡେକ୍ସ। ଅର୍ଥାତ୍ ବାୟୁ କେତେ ପରିମାଣରେ ପ୍ରଦୂଷିତ ଏବଂ ଏହା ଆମ ସ୍ୱାସ୍ଥ୍ୟ ପାଇଁ କେତେ ବିପଦଜନକ, ତାହା ଏହି ସୂଚକାଙ୍କ ଜରିଆରେ ଜଣାପଡ଼େ। ବିଶେଷକରି PM2.5 ଓ PM10 ଭଳି ଅତି କ୍ଷୁଦ୍ର ଧୂଳିକଣା ଆମ ଶ୍ୱାସକ୍ରିୟା ପାଇଁ ବିପଦ ସୃଷ୍ଟି କରିଥାଏ। PM2.5 ଫୁସଫୁସର ଗଭୀର ଅଂଶ ପର୍ଯ୍ୟନ୍ତ ପହଞ୍ଚିପାରେ।

ଏହି ପ୍ରଦୂଷିତ ବାୟୁରେ ଦୀର୍ଘ ସମୟ ରହିଲେ ଆଖି ଜଳିବା, କାଶ, ଗଳା ଖରାପ ହେବା, ଶ୍ୱାସକ୍ରିୟାରେ ସମସ୍ୟା ଏବଂ ଆଜ୍‌ମା ରୋଗୀଙ୍କ ଅସୁବିଧା ବଢ଼ିପାରେ। ଶିଶୁ, ବୟସ୍କ ଓ ହୃଦ୍‌ରୋଗୀମାନେ ଅଧିକ ସତର୍କ ରହିବା ଆବଶ୍ୟକ। ତେଣୁ ବାୟୁ ପ୍ରଦୂଷଣ ଅଧିକ ଥିବା ସମୟରେ ଅନାବଶ୍ୟକ ବାହାରକୁ ଯିବାରୁ ଦୂରେଇ ରୁହନ୍ତୁ। ବାହାରକୁ ଯିବା ଜରୁରୀ ହେଲେ N95 ମାସ୍କ ବ୍ୟବହାର କରନ୍ତୁ। କାରଣ ସ୍ୱଚ୍ଛ ବାୟୁ କେବଳ ଆମର ଆବଶ୍ୟକତା ନୁହେଁ, ଏହା ଆମର ଅଧିକାର ମଧ୍ୟ।

Leave a Reply

Your email address will not be published. Required fields are marked *