ବର୍ତ୍ତମାନ ସମୟରେ ମେକଅପ୍ ପ୍ରାୟ ପ୍ରତ୍ୟେକ ଝିଅଙ୍କ ଦୈନନ୍ଦିନ ଜୀବନର ଏକ ଅଂଶ ପାଲଟିଯାଇଛି। ଆଉ ମେକଅପ୍ କଥା ଆସିଲେ କାଜଲର ସ୍ଥାନ ସବୁଠାରୁ ଆଗରେ। କାରଣ କାଜଲ ଲଗାଇଲେ ଆଖି ଅଧିକ ବଡ଼, ଆକର୍ଷଣୀୟ ଓ ସୁନ୍ଦର ଦେଖାଯାଏ। ସେଥିପାଇଁ ଅନେକ ମହିଳା ଓ ଯୁବତୀ ପ୍ରତିଦିନ କାଜଲ ବ୍ୟବହାର କରିଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି, ନିୟମିତ ଭାବେ ଭୁଲ ଉପାୟରେ କାଜଲ ଲଗାଇବା ଆଖି ପାଇଁ କ୍ଷତିକାରକ ହୋଇପାରେ। ବିଶେଷଜ୍ଞଙ୍କ ମତରେ, ନିମ୍ନମାନର କାଜଲ କିମ୍ବା ଏଥିରେ ଥିବା କିଛି ରାସାୟନିକ ପଦାର୍ଥ ଆଖିରେ ଜ୍ୱଳନ, କୁଣ୍ଡେଇ ହେବା, ଲାଲ ପଡ଼ିବା ଓ ଆଲର୍ଜି ସୃଷ୍ଟି କରିପାରେ। ତେବେ ଆସନ୍ତୁ ଜାଣିବା, ଅଧିକ କାଜଲ ବ୍ୟବହାର କଲେ ଆଖି ଉପରେ କ’ଣ ପ୍ରଭାବ ପଡ଼ିଥାଏ।

ଅପରିଷ୍କାର କିମ୍ବା ଦୂଷିତ କାଜଲ ବ୍ୟବହାର କଲେ ଆଖିରେ ବ୍ୟାକ୍ଟେରିଆ ସଂକ୍ରମଣ ହୋଇପାରେ। ବିଶେଷକରି ପୁରୁଣା କାଜଲ କିମ୍ବା ଅନ୍ୟ କାହାର କାଜଲ ବ୍ୟବହାର କରିବା ଦ୍ୱାରା ସଂକ୍ରମଣର ଆଶଙ୍କା ବଢ଼ିଥାଏ। କାଜଲରେ ଥିବା କିଛି ରାସାୟନିକ ଉପାଦାନ ଆଖିରେ ଆଲର୍ଜି ସୃଷ୍ଟି କରିପାରେ। ଫଳରେ ଆଖି ଫୁଲିବା, ଲାଲ ପଡ଼ିବା, ଜ୍ୱଳନ ଓ କୁଣ୍ଡେଇ ହେବା ଭଳି ସମସ୍ୟା ଦେଖାଦିଏ। ସମ୍ବେଦନଶୀଳ ଚର୍ମ ଥିବା ବ୍ୟକ୍ତିମାନେ ଏଥିପ୍ରତି ଅଧିକ ସତର୍କ ରହିବା ଆବଶ୍ୟକ। ଆଖିର ଭିତର ପାର୍ଶ୍ୱରେ ଅଧିକ କାଜଲ ଲଗାଇଲେ ଏହାର ଛୋଟ ଛୋଟ କଣିକା ଲୁହ ନଳୀରେ ଜମିପାରେ। ଫଳରେ ଲୁହ ନିଷ୍କାସନରେ ବାଧା ସୃଷ୍ଟି ହେବା ସହ ଆଖିରେ ଅସ୍ୱସ୍ତି ଓ ଫୁଲା ଦେଖାଦେଇପାରେ। ଆଖିର ଭିତର ପାର୍ଶ୍ୱରେ କାଜଲ ଲଗାଇଲେ ଏହାର କଣିକା ଆଖିର ଲୁହ ସ୍ତରକୁ ପ୍ରଭାବିତ କରିପାରେ। ଫଳରେ ଆଖି ଶୁଷ୍କ ହେବା, ଜ୍ୱଳନ ଓ ସାମୟିକ ଭାବେ ଦୃଷ୍ଟି ଝାପ୍ସା ହେବା ଭଳି ସମସ୍ୟା ହୋଇପାରେ।

ତେବେ କାଜଲ ବ୍ୟବହାର କରିବା ସମୟରେ କିଛି ସତର୍କତା ଅବଲମ୍ବନ କରିବା ଜରୁରୀ। ସର୍ବଦା ଭଲ ମାନର ଓ ଗୁଣବତ୍ତା ଯାଞ୍ଚ ହୋଇଥିବା କାଜଲ ବ୍ୟବହାର କରନ୍ତୁ। ଅନ୍ୟ କାହା ସହ କାଜଲ ସେୟାର କରନ୍ତୁ ନାହିଁ। ଶୋଇବା ପୂର୍ବରୁ ମେକଅପ୍ ରିମୁଭର୍ ସାହାଯ୍ୟରେ କାଜଲକୁ ଭଲ ଭାବେ ସଫା କରନ୍ତୁ। ଆଖିରେ ଜ୍ୱଳନ କିମ୍ବା ଆଲର୍ଜି ହେଲେ ତୁରନ୍ତ ଏହାର ବ୍ୟବହାର ବନ୍ଦ କରନ୍ତୁ ଏବଂ ଆବଶ୍ୟକ ହେଲେ ଚକ୍ଷୁ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ।
