ଆଜି ପାଳନ ହେଉଛି ଧନତେରସ । ଧନ, ସ୍ୱାସ୍ଥ୍ୟ ଓ ସମୃଦ୍ଧିର ପ୍ରତୀକର ଏହି ପର୍ବକୁ ନେଇ ସବୁଠି ଉତ୍ସାହ । ହିନ୍ଦୁ ଧର୍ମରେ ଧନତେରସର ବିଶେଷ ମହତ୍ତ୍ୱ ରହିଛି । ଦୀପାବଳି ପୂର୍ବରୁ ପାଳନ ହେଉଥିବା ଏହି ପର୍ବରେ ସୁନା, ରୁପା ଓ ନୂଆ ସାମଗ୍ରୀ କିଣିବାର ପରମ୍ପରା ରହିଛି । ଧାର୍ମିକ ବିଶ୍ୱାସ ଅନୁଯାୟୀ, ଧନତେରସ ଦିନ ମା’ ଲକ୍ଷ୍ମୀ, ଭଗବାନ କୁବେର ଏବଂ ଭଗବାନ ଧନ୍ୱନ୍ତରୀଙ୍କ ପୂଜା କରାଯାଏ । ଏହି ଦିନ ଶୁଭ ମୁହୂର୍ତ୍ତରେ ସୁନା ଓ ରୁପା କିଣିଲେ ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ବଢ଼ିଥାଏ ବୋଲି ଲୋକଙ୍କ ବିଶ୍ୱାସ । ଏହି ବିଶ୍ୱାସକୁ ନେଇ ସକାଳୁ ସକାଳୁ ବିଭିନ୍ନ ଗହଣା ଦୋକାନରେ ଗ୍ରାହକଙ୍କ ଭିଡ଼ ଜମିଛି ।

ଧନତେରସକୁ ନଜରରେ ରଖି ସୁନା ଓ ରୁପା ଦୋକାନଗୁଡ଼ିକରେ ଆକର୍ଷଣୀୟ ଅଫର ରଖାଯାଇଛି । ଗ୍ରାହକଙ୍କ ପସନ୍ଦ ଅନୁଯାୟୀ ନୂଆ ନୂଆ ଡିଜାଇନ୍ର ଗହଣା ମଧ୍ୟ ସୋରୁମ୍ରେ ଉପଲବ୍ଧ ହେଉଛି । ବିଶେଷକରି ସୁନା ଓ ରୁପା କଏନ୍, ହାଲୁକା ଗହଣା ଏବଂ ଆକର୍ଷଣୀୟ ଡିଜାଇନ୍ର ଅଳଙ୍କାର ପ୍ରତି ଗ୍ରାହକଙ୍କ ଆଗ୍ରହ ରହିଛି । ସେପଟେ ନିକଟରେ ସୁନା ଓ ରୁପା ଦରରେ ହ୍ରାସ ହୋଇଥିବାରୁ ଗ୍ରାହକଙ୍କ କିଣାକିଣି ଆଗ୍ରହ ବଢ଼ିବ ବୋଲି ବ୍ୟବସାୟୀମାନେ ଆଶା ରଖିଛନ୍ତି । ଏଥର ଧନତେରସରେ ଭଲ ବ୍ୟବସାୟ ହେବ ବୋଲି ମଧ୍ୟ ଦୋକାନୀଙ୍କ ଆଶା ।
କେବଳ ସୁନା ଓ ରୁପା ନୁହେଁ, ଏହି ଦିନ ଝାଡ଼ୁ, ଧନିଆ ମଞ୍ଜି ଏବଂ ମା’ ଲକ୍ଷ୍ମୀ ଓ ଗଣେଶଙ୍କ ମୂର୍ତ୍ତି କିଣିବାର ମଧ୍ୟ ପରମ୍ପରା ରହିଛି । ଅନେକ ଲୋକ ନୂଆ ଗାଡ଼ି, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଓ ଘରୋଇ ଉପକରଣ ମଧ୍ୟ କିଣିଥାନ୍ତି । ଅନ୍ୟପକ୍ଷରେ ପାରମ୍ପରିକ ବିଶ୍ୱାସ ଅନୁସାରେ ଏହି ଦିନ ଲୁହା ଓ ଧାରୁଆ ଜିନିଷ କିଣିବାରୁ ଦୂରେଇ ରହିବାକୁ କୁହାଯାଏ । ତେବେ ଧନତେରସକୁ ନେଇ ବଜାରରେ ଏବେ ଉତ୍ସବର ମାହୋଲ । ଗ୍ରାହକଙ୍କ ଉତ୍ସାହ ଓ ବ୍ୟବସାୟୀଙ୍କ ଆଶା ଭିତରେ ଚଳଚଞ୍ଚଳ ହୋଇଉଠିଛି ବଜାର ।
