ମହଙ୍ଗା ହେଲା LPG, ଗ୍ରାହକଙ୍କ ପାଇଁ ନୂଆ ଅପଡେଟ୍

ନଭେମ୍ବର ଆରମ୍ଭରେ LPG ଗ୍ରାହକଙ୍କ ପାଇଁ ଆସିଛି ନୂଆ ଅପଡେଟ୍। ଘରୋଇ ଗ୍ୟାସ୍ ଗ୍ରାହକଙ୍କୁ ମିଳିଛି ଆଶ୍ୱସ୍ତି, କିନ୍ତୁ ହୋଟେଲ୍ ଓ ରେଷ୍ଟୁରାଣ୍ଟ ବ୍ୟବସାୟୀଙ୍କୁ ଲାଗିଛି ଝଟକା। କାରଣ ପୁଣି ବଢ଼ିଛି ୧୯ କିଲୋ କମର୍ସିଆଲ୍ LPG ସିଲିଣ୍ଡର ଦର। ତୈଳ ବିପଣନ କମ୍ପାନୀଗୁଡ଼ିକ ନଭେମ୍ବର ୧ରୁ କମର୍ସିଆଲ୍ ସିଲିଣ୍ଡର ପିଛା ୧୦ ଟଙ୍କା ବୃଦ୍ଧି କରିଛନ୍ତି। ଏହା କ୍ରମାଗତ ତୃତୀୟ ମାସର ଦରବୃଦ୍ଧି। ସେପ୍ଟେମ୍ବରରେ ୯ ଟଙ୍କା ୫୦ ପଇସା ଏବଂ ଅକ୍ଟୋବରରେ ୬୨ ଟଙ୍କା ୫୦ ପଇସା ବଢ଼ିଥିଲା। ନଭେମ୍ବରରେ ପୁଣି ୧୦ ଟଙ୍କା ବୃଦ୍ଧି ପରେ ଦିଲ୍ଲୀରେ ୧୯ କିଲୋ ସିଲିଣ୍ଡର ଦର ୨ ହଜାର ୮୨୦ ଟଙ୍କାରେ ପହଞ୍ଚିଛି।

ଏହି ଦରବୃଦ୍ଧିର ସିଧାସଳଖ ପ୍ରଭାବ ହୋଟେଲ୍, ରେଷ୍ଟୁରାଣ୍ଟ, ଢାବା ଓ କ୍ୟାଟରିଂ ବ୍ୟବସାୟ ଉପରେ ପଡ଼ିପାରେ। ଗ୍ୟାସ୍ ଖର୍ଚ୍ଚ ବଢ଼ିଲେ ଖାଦ୍ୟ ପ୍ରସ୍ତୁତି ଖର୍ଚ୍ଚ ମଧ୍ୟ ବଢ଼ିବ। ଏହାର ପ୍ରଭାବ ଆଗକୁ ଖାଦ୍ୟ ଦର ଉପରେ ପଡ଼ିବାର ଆଶଙ୍କା ରହିଛି। ତେବେ ସାଧାରଣ ପରିବାର ପାଇଁ ରହିଛି ଆଶ୍ୱସ୍ତିର ଖବର। ୧୪.୨ କିଲୋ ଘରୋଇ LPG ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ଘରୋଇ ସିଲିଣ୍ଡର ଦର ୯୪୨ ଟଙ୍କାରେ ସ୍ଥିର ରହିଛି।

ସାଧାରଣତଃ ପ୍ରତି ମାସର ପ୍ରଥମ ତାରିଖରେ ତୈଳ କମ୍ପାନୀଗୁଡ଼ିକ ଗ୍ୟାସ୍ ଦରର ସମୀକ୍ଷା କରିଥାନ୍ତି। ଅନ୍ତର୍ଜାତୀୟ ବଜାରରେ ତୈଳ ଓ ଗ୍ୟାସ୍ ଦର, ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଏବଂ ପରିବହନ ଖର୍ଚ୍ଚ ଆଧାରରେ ଦର ନିର୍ଦ୍ଧାରଣ ହୋଇଥାଏ। ତେଣୁ ଘରୋଇ ଗ୍ୟାସ୍ ଦର ସ୍ଥିର ରହିଥିବାବେଳେ କମର୍ସିଆଲ୍ ଗ୍ୟାସ୍ ଦର ବୃଦ୍ଧି ବ୍ୟବସାୟୀଙ୍କ ଚିନ୍ତା ବଢ଼ାଇଛି।

Leave a Reply

Your email address will not be published. Required fields are marked *