ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ, ୧୨ ଘଣ୍ଟାରେ ଅବପାତ ଆଶଙ୍କା

ବଙ୍ଗୋପସାଗରରେ ପୁଣି ସକ୍ରିୟ ହୋଇଛି ପାଣିପାଗ ପ୍ରକ୍ରିୟା। ସମୁଦ୍ରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ତଥା ସଂଲଗ୍ନ ଆଣ୍ଡାମାନ ସାଗର ଓ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ ଅଞ୍ଚଳରେ ଥିବା ଲଘୁଚାପ କ୍ଷେତ୍ରଟି ଅଧିକ ଘନୀଭୂତ ହୋଇ ଏବେ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବାର ପ୍ରବଳ ସମ୍ଭାବନା ରହିଛି।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏହି ପାଣିପାଗ ପ୍ରଣାଳୀ ସହ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି। ଏହା ବର୍ତ୍ତମାନ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି। ଆଗାମୀ ସମୟରେ ଏହା ଆହୁରି ଘନୀଭୂତ ହୋଇ ଶକ୍ତିଶାଳୀ ହେବାର ଆକଳନ କରାଯାଇଛି। ତେଣୁ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ପାଣିପାଗର ପରିବର୍ତ୍ତନ ଉପରେ ନଜର ରଖାଯାଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଏହି ଅବପାତ କ୍ରମଶଃ ତୀବ୍ରତର ହୋଇ ଆସନ୍ତା ନଭେମ୍ବର ୨ ତାରିଖ ସନ୍ଧ୍ୟା ସୁଦ୍ଧା ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମୁହାଁଇପାରେ। ଏହାର ପ୍ରଭାବରେ ଆନ୍ଧ୍ର ଉପକୂଳ ସମେତ ସଂଲଗ୍ନ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ପାଗରେ ପରିବର୍ତ୍ତନ ହେବା ସହ ବର୍ଷା ଓ ପବନର ପ୍ରଭାବ ବଢ଼ିବା ଆଶଙ୍କା ରହିଛି।

ଅନ୍ୟପକ୍ଷରେ, ଏହି ପାଣିପାଗ ପ୍ରଣାଳୀ ଯୋଗୁଁ ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ରହିଛି। ତେଣୁ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ରକୁ ନଯିବା ପାଇଁ ସତର୍କ କରାଯାଇଛି। ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନେ ଶୀଘ୍ର ଉପକୂଳକୁ ଫେରିଆସିବା ସହ ପ୍ରଶାସନ ଓ ପାଣିପାଗ ବିଭାଗର ସତର୍କ ସୂଚନା ପାଳନ କରିବା ଜରୁରୀ। ସମ୍ଭାବ୍ୟ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଅଞ୍ଚଳର ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଆଗାମୀ ଦିନରେ ଲଘୁଚାପର ଗତିପଥ ଓ ତୀବ୍ରତା ଉପରେ ନିର୍ଭର କରି ବର୍ଷା ଓ ପବନର ପ୍ରଭାବ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *