ପ୍ରଯୁକ୍ତି ଜଗତରେ ଚର୍ଚ୍ଚିତ ଶବ୍ଦ ‘ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ’ ବା AIକୁ ନେଇ ଆମେରିକାରେ ଆସିଛି ଏକ ଅଭୂତପୂର୍ବ ପରିବର୍ତ୍ତନ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେଡେରାଲ୍ ସରକାରୀ ସ୍ତରରେ AI ପରିବର୍ତ୍ତେ ‘ସୁପର ଇଣ୍ଟେଲିଜେନ୍ସ’ ବା ‘SI’ ଶବ୍ଦ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଟ୍ରମ୍ପ ‘ଇନଅଗ୍ୟୁରେଟିଂ ଦି ଏରା ଅଫ୍ ସୁପର ଇଣ୍ଟେଲିଜେନ୍ସ’ ଶୀର୍ଷକ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ନିର୍ଦ୍ଦେଶନାମା ଅନୁସାରେ, ଆମେରିକାର ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ଓ ସରକାରୀ ଏଜେନ୍ସିର ଯୋଗାଯୋଗ, ନୀତି ଦସ୍ତାବିଜ ଏବଂ ରିପୋର୍ଟରେ AI ବଦଳରେ SI ଶବ୍ଦ ବ୍ୟବହାର କରାଯିବ। ଏହାସହ ଫେଡେରାଲ୍ ଆଇନରେ ‘ସୁପର ଇଣ୍ଟେଲିଜେନ୍ସ’ର ସ୍ପଷ୍ଟ ସଂଜ୍ଞା ନିର୍ଦ୍ଧାରଣ କରିବା ପାଇଁ ହ୍ୱାଇଟ୍ ହାଉସର ବୈଜ୍ଞାନିକ ଉପଦେଷ୍ଟାଙ୍କୁ ୬୦ ଦିନର ସମୟ ଦିଆଯାଇଛି। ଟ୍ରମ୍ପଙ୍କ ମତରେ, ‘ଆର୍ଟିଫିସିଆଲ୍’ ଶବ୍ଦଟି କୃତ୍ରିମ ହେବାର ଧାରଣା ସୃଷ୍ଟି କରେ। କିନ୍ତୁ ଆମେରିକାର ବିକଶିତ ପ୍ରଯୁକ୍ତି ନକଲି ନୁହେଁ; ଏହା ଅତ୍ୟନ୍ତ ଉନ୍ନତ ଓ ଶକ୍ତିଶାଳୀ ବୁଦ୍ଧିମତ୍ତା ବୋଲି ସେ ଯୁକ୍ତି ଦେଇଛନ୍ତି । ତେଣୁ ‘ସୁପର ଇଣ୍ଟେଲିଜେନ୍ସ’ ଶବ୍ଦଟି ଅଧିକ ଉପଯୁକ୍ତ ବୋଲି ତାଙ୍କ ମତ।

ଡାଟା ସେଣ୍ଟର ବିସ୍ତାର ଓ ପ୍ରଯୁକ୍ତି ଭିତ୍ତିଭୂମି ନେଇ ପ୍ରମୁଖ ଟେକ୍ କମ୍ପାନୀର ନେତାମାନଙ୍କ ସହ ହ୍ୱାଇଟ୍ ହାଉସରେ ବୈଠକ ପରେ ଏହି ଘୋଷଣା ଆସିଛି । ତେବେ ବୈଜ୍ଞାନିକ ପରିଭାଷାରେ AI ଏବଂ ‘ଆର୍ଟିଫିସିଆଲ୍ ସୁପର ଇଣ୍ଟେଲିଜେନ୍ସ’ ବା ASI ଏକାର୍ଥକ ନୁହେଁ। ASIକୁ ସାଧାରଣତଃ ମଣିଷର ବୁଦ୍ଧିମତ୍ତାକୁ ବ୍ୟାପକ ଭାବେ ଅତିକ୍ରମ କରୁଥିବା ଏକ କଳ୍ପିତ ଉନ୍ନତ AI ପ୍ରଣାଳୀ ଭାବେ ବର୍ଣ୍ଣନା କରାଯାଏ। ତେଣୁ ଟ୍ରମ୍ପ ପ୍ରଶାସନର ଏହି ଶବ୍ଦାବଳୀ ପରିବର୍ତ୍ତନକୁ ପ୍ରଯୁକ୍ତି, ନୀତି ଓ ରାଜନୈତିକ ବାର୍ତ୍ତା—ତିନୋଟି ଦିଗରୁ ଗୁରୁତ୍ୱ ଦିଆଯାଉଛି।
