ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପକୁ ନେଇ ବଢ଼ିଲା ଚର୍ଚ୍ଚା। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଧୀରେ ଧୀରେ ଏହା ଘନୀଭୂତ ହେବା ସହ ଆଗକୁ ଅଧିକ ଶକ୍ତିଶାଳୀ ହେବାର ଆଶଙ୍କା ରହିଛି। ଆସନ୍ତା ୧୫ ତାରିଖ ବେଳକୁ ଏହା ଅବପାତର ରୂପ ନେଇପାରେ। ଏହି ପାଣିପାଗ ବ୍ୟବସ୍ଥା ପ୍ରଭାବରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ବର୍ଷା ବଢ଼ିବାର ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ହେବା ଆଶଙ୍କାରେ ଆଣ୍ଡାମାନ ସାଗର, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ସମୁଦ୍ର ଅଞ୍ଚଳରେ ନଭେମ୍ବର ୧୭ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ମାଛ ଧରିବାକୁ ନଯିବା ପାଇଁ ସତର୍କ କରାଯାଇଛି ।

ପାଣିପାଗ ସୂଚନା ଅନୁସାରେ, ଏହି ଲଘୁଚାପ ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ଆସନ୍ତାକାଲି ସୁଦ୍ଧା ଏହା ଅଧିକ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇପାରେ। ପରେ ନଭେମ୍ବର ୧୫ ତାରିଖ ବେଳକୁ ଏହା ଅବପାତର ରୂପ ନେବାର ଆକଳନ କରାଯାଉଛି। ଏହାପରେ ମଧ୍ୟ ଏହାର ଘନୀଭବନ ପ୍ରକ୍ରିୟା ଜାରି ରହିପାରେ। ଫଳରେ ନଭେମ୍ବର ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନାକୁ ନେଇ ଆଲୋଚନା ଜୋର ଧରିଛି। ତେବେ ଓଡ଼ିଶା ପାଇଁ ରହିଛି କି ବଡ଼ ବିପଦ? ଏହାକୁ ନେଇ ରାଜ୍ୟବାସୀଙ୍କ ମନରେ ଉଠୁଛି ପ୍ରଶ୍ନ। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ଆସନ୍ତା କିଛି ଦିନ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ନଭେମ୍ବର ୧୯ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟରେ ବଡ଼ ଧରଣର ବର୍ଷାର କୌଣସି ସମ୍ଭାବନା ଦର୍ଶାଯାଇନାହିଁ। ଅର୍ଥାତ୍ ଲଘୁଚାପ ଘନୀଭୂତ ହୋଇ ବାତ୍ୟାର ରୂପ ନେଲେ ମଧ୍ୟ ତତ୍କାଳ ଓଡ଼ିଶା ଉପରେ ବଡ଼ ପ୍ରଭାବ ପଡ଼ିବା ନେଇ ଆକଳନ ନାହିଁ।
ଅନ୍ୟପଟେ, ଏହି ପାଣିପାଗ ବ୍ୟବସ୍ଥାର ପ୍ରଭାବ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଅଧିକ ଅନୁଭୂତ ହୋଇପାରେ। ସେଠାରେ ବର୍ଷାର ପରିମାଣ ବଢ଼ିବା ଆଶଙ୍କା ରହିଛି। ଏହାସହ ସମୁଦ୍ର ଅଶାନ୍ତ ହେବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କ ପାଇଁ ଜାରି ହୋଇଛି ସତର୍କ ସୂଚନା। ଆଣ୍ଡାମାନ ସାଗର, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ସମୁଦ୍ର ଅଞ୍ଚଳକୁ ନଭେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ମାଛ ଧରିବାକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ତେବେ ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି ଏହି ଲଘୁଚାପର ଗତିପଥ ଓ ତୀବ୍ରତା ଉପରେ। ଆଗାମୀ ଦିନରେ ଏହାର ଦିଗ ଓ ସମ୍ଭାବ୍ୟ ପ୍ରଭାବ ସ୍ପଷ୍ଟ ହେବ। ତେଣୁ ଅଯଥା ଆତଙ୍କିତ ନହୋଇ ପାଣିପାଗ ବିଭାଗର ପରବର୍ତ୍ତୀ ସୂଚନା ଉପରେ ନଜର ରଖିବା ଜରୁରୀ।
