ବଙ୍ଗୋପସାଗରରେ ଘନୀଭୂତ ହେଉଛି ବାତ୍ୟା । ସୃଷ୍ଟି ହେଲା ଗଭୀର ଅବପାତ । ଆଜି ବାତ୍ୟାର ରୂପ ନେବା ସମ୍ଭାବନା ଥିବାବେଳେ, ଆସନ୍ତାକାଲି ଏହା ଭୀଷଣ ବାତ୍ୟାରେ ପରିଣତ ହୋଇପାରେ । ଏପରିକି ୧୯ ତାରିଖ ବେଳକୁ ଅତି ଭୀଷଣ ବାତ୍ୟାର ରୂପ ନେବା ଆଶଙ୍କା ରହିଛି । ବାତ୍ୟାର ସମ୍ଭାବ୍ୟ ଗତିପଥ ଆନ୍ଧ୍ର ଉପକୂଳ ଆଡ଼କୁ ରହିଥିବା ବେଳେ ଓଡ଼ିଶାରେ ପ୍ରବଳ ବର୍ଷାକୁ ନେଇ ବଢ଼ିଛି ଚିନ୍ତା ।

ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ଦକ୍ଷିଣ-ପୂର୍ବ ଓ ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ କ୍ରମଶଃ ଶକ୍ତିଶାଳୀ ହେଉଛି । ବାତ୍ୟାର କେନ୍ଦ୍ର ନିକଟରେ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ଏବଂ ଝଟକା ପବନ ୧୪୫ କିଲୋମିଟର ପର୍ଯ୍ୟନ୍ତ ରହିପାରେ । ତେବେ ଏହାର ଗତିପଥ ଓ ସ୍ଥଳଭାଗ ଛୁଇଁବା ସ୍ଥାନ ନେଇ ଏବେ ବି ଅନିଶ୍ଚିତତା ରହିଛି ।ବାତ୍ୟା ପ୍ରଭାବରେ ୧୮ ତାରିଖରୁ ଓଡ଼ିଶାରେ ବର୍ଷା ବଢ଼ିବା ସମ୍ଭାବନା ରହିଛି । ୧୯ ଓ ୨୦ ତାରିଖରେ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ନୟାଗଡ଼, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି ।
ନିକଟରେ ବନ୍ୟା ଓ ଲଗାଣ ବର୍ଷାରେ ଗଞ୍ଜାମ, ଗଜପତି ପ୍ରଭାବିତ ହୋଇଥିବାରୁ ପୁଣି ଜଳବନ୍ଦୀ ଓ ଭୂସ୍ଖଳନ ଭୟ ଘାରିଛି । ସମ୍ଭାବ୍ୟ ବିପଦକୁ ଦେଖି ଗଞ୍ଜାମରେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ସେହିପରି ୧୭ରୁ ୧୯ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ସତର୍କ କରାଯାଇଛି । ଚାଷୀଙ୍କୁ ମଧ୍ୟ ପାଚିଲା ଧାନ ଶୀଘ୍ର ଅମଳ କରି ସୁରକ୍ଷିତ ସ୍ଥାନରେ ରଖିବାକୁ ପରାମର୍ଶ ଦିଆଯାଇଛି । ତେବେ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବ କି ନାହିଁ, ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏହାର ପ୍ରଭାବରେ ବର୍ଷାର ଆଶଙ୍କା ରହିଛି । ତେଣୁ ଆଗାମୀ ଦୁଇରୁ ତିନି ଦିନ ପାଣିପାଗ ଉପରେ ନଜର ରହିବ ।
