ବଙ୍ଗୋପସାଗରରେ ବଳ ଗୋଟାଉଛି ସମ୍ଭାବ୍ୟ ବାତ୍ୟା। ଘନୀଭୂତ ହେବାରେ ଲାଗିଛି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଅବପାତ। ଏହା ଘଣ୍ଟାପ୍ରତି ପ୍ରାୟ ୮ କିଲୋମିଟର ବେଗରେ ଗତି କରୁଥିବା ସୂଚନା ମିଳିଛି। ସମ୍ଭାବ୍ୟ ବାତ୍ୟା ବିଶାଖାପାଟଣାଠାରୁ ପ୍ରାୟ ୮୬୦ କିଲୋମିଟର, କାକିନାଡ଼ାଠାରୁ ୯୫୦ କିଲୋମିଟର, ମଚ୍ଛଲିପଟ୍ଟନମଠାରୁ ୧୦୬୦ କିଲୋମିଟର ଏବଂ ବାପଟଲାଠାରୁ ୧୧୩୦ କିଲୋମିଟର ଦୂରରେ ରହିଥିବା ଜଣାପଡ଼ିଛି।

ସମ୍ଭାବ୍ୟ ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ସ୍ଥଳଭାଗ ଛୁଇଁବାର ଆଶଙ୍କା ରହିଛି। ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ମଧ୍ୟ ପଡ଼ିପାରେ। ବିଶେଷକରି ଦକ୍ଷିଣ ଓଡ଼ିଶା, ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ପବନ ହେବାର ସମ୍ଭାବନା ରହିଛି। ପାଣିପାଗ ଆକଳନ ଅନୁଯାୟୀ, ୨୬ ତାରିଖରୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ରହିପାରେ। ଝଟକା ପବନର ବେଗ ୯୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ଉପକୂଳ ନିକଟକୁ ଆସିବା ସହ ଏହା ଅଧିକ ଶକ୍ତିଶାଳୀ ହେବାର ଆଶଙ୍କା ରହିଛି।
୨୭ ତାରିଖରେ ଓଡ଼ିଶାର ୭ଟି ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବାବେଳେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ୨୮ ତାରିଖରେ ବର୍ଷାର ପ୍ରଭାବ ଆହୁରି ବଢ଼ିପାରେ। ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି। ଏହାସହ ୧୮ଟି ଜିଲ୍ଲାକୁ ଅରେଞ୍ଜ ଏବଂ ୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି। ୨୯ ତାରିଖରେ ମଧ୍ୟ ୬ଟି ଜିଲ୍ଲାକୁ ଅରେଞ୍ଜ ଓ ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ଥିବାରୁ ୨୮ରୁ ୨୯ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଲୋକଙ୍କୁ ସତର୍କ ରହିବା ସହ ପାଣିପାଗ ବିଭାଗର ପରବର୍ତ୍ତୀ ସୂଚନା ଅନୁସରଣ କରିବାକୁ ପରାମର୍ଶ ଦିଆଯାଉଛି।
