ଡିପ୍ ଡିପ୍ରେସନର ପ୍ରଭାବରେ ଅଶାନ୍ତ ହୋଇପଡ଼ିଛି ଚିଲିକା । ପ୍ରବଳ ପବନ, ଉଚ୍ଚ ଢେଉ ଓ ଲଗାଣ ବର୍ଷା ଯୋଗୁଁ ଚିଲିକାରେ ସୃଷ୍ଟି ହୋଇଛି ଅସ୍ୱାଭାବିକ ପରିସ୍ଥିତି। ଏହାର ପ୍ରଭାବରେ ଚିଲିକା କୂଳରେ ବନ୍ଧା ହୋଇଥିବା ମତ୍ସ୍ୟଜୀବୀଙ୍କ ଅନେକ ଡଙ୍ଗା ବୁଡ଼ିଯିବା ସହ କେତେକ ଡଙ୍ଗା ଭାଙ୍ଗି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।

ବିଶେଷ କରି ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ଅଞ୍ଚଳରେ ଡିପ୍ ଡିପ୍ରେସନର ପ୍ରଭାବ ଅଧିକ ଅନୁଭୂତ ହୋଇଛି। ପବନର ବେଗ ବଢ଼ିବା ସହ ଚିଲିକାରେ ଉଚ୍ଚ ଢେଉ ଉଠୁଥିବାରୁ କୂଳରେ ବନ୍ଧା ଡଙ୍ଗାଗୁଡ଼ିକ ଅସୁରକ୍ଷିତ ହୋଇପଡ଼ିଛି। କୃଷ୍ଣପ୍ରସାଦ ବ୍ଲକ ଅରଖକୁଦା ଅଞ୍ଚଳର ମଙ୍ଗଳାସାହି ଓ ଲକ୍ଷ୍ମୀନାରାୟଣ ସାହିର ମତ୍ସ୍ୟଜୀବୀଙ୍କ ଅନେକ ଡଙ୍ଗା ଚିଲିକାରେ ବୁଡ଼ିଯାଇଥିବା ସୂଚନା ମିଳିଛି। କେତେକ ଡଙ୍ଗା ପ୍ରବଳ ଢେଉରେ ଭାଙ୍ଗି କ୍ଷତିଗ୍ରସ୍ତ ହୋଇଛି।
ଡଙ୍ଗା ହେଉଛି ଚିଲିକା ଉପରେ ନିର୍ଭରଶୀଳ ମତ୍ସ୍ୟଜୀବୀ ପରିବାରଗୁଡ଼ିକର ଜୀବିକାର ମୁଖ୍ୟ ମାଧ୍ୟମ। ତେଣୁ ଡଙ୍ଗା ବୁଡ଼ିବା ଓ କ୍ଷତିଗ୍ରସ୍ତ ହେବା ଯୋଗୁଁ ସେମାନଙ୍କ ଜୀବିକା ଉପରେ ପ୍ରଭାବ ପଡ଼ିବା ନେଇ ଚିନ୍ତା ବଢ଼ିଛି। ଅନ୍ୟପଟେ ପାଗ ଅଶାନ୍ତ ରହିଥିବାରୁ ଚିଲିକାକୁ ନଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପ୍ରଶାସନ ଓ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଏଭଳି ପରିସ୍ଥିତିରେ ମତ୍ସ୍ୟଜୀବୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ସହ ଡଙ୍ଗା ଓ ଅନ୍ୟାନ୍ୟ ସମ୍ପତ୍ତିର କ୍ଷୟକ୍ଷତି ଆକଳନ ଉପରେ ନଜର ରଖାଯାଉଛି।
