ଗଭୀର ଅବପାତର ତାଣ୍ଡବ, ଭିଜୁଛି ସାରା ଓଡ଼ିଶା

କଳିଙ୍ଗପଟ୍ଟନମ୍‌ ନିକଟରେ ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ। ଗତରାତି ପ୍ରାୟ ସାଢ଼େ ୧୧ଟାରେ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଥିବା ବେଳେ ପ୍ରାୟ ୩ ଘଣ୍ଟା ଧରି ଜାରି ରହିଥିଲା ଏହି ପ୍ରକ୍ରିୟା।ଲ୍ୟାଣ୍ଡଫଲ୍‌ ସମୟରେ ଘଣ୍ଟାପ୍ରତି ୬୫ରୁ ୭୫ କିଲୋମିଟର ବେଗରେ ପବନ ବହିଥିବା ବେଳେ ସମୁଦ୍ର ପ୍ରାୟ ୫ ମିଟର ପର୍ଯ୍ୟନ୍ତ ମାଡ଼ି ଆସିଥିଲା।ଗଭୀର ଅବପାତର ପ୍ରଭାବରେ ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଜାରି ରହିଛି। ଉପକୂଳ ସମେତ ସାରା ଓଡ଼ିଶାରେ ତୁହାକୁ ତୁହା ବର୍ଷା ହେଉଛି।ସେପଟେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲା ପାଇଁ ଜାରି ହୋଇଛି ରେଡ୍ ୱାର୍ଣ୍ଣିଂ। ଲୋକଙ୍କୁ ସତର୍କ ରହିବା ସହ ଅନାବଶ୍ୟକ ଭାବେ ଘରୁ ବାହାରକୁ ନଯିବାକୁ ପରାମର୍ଶ ଦିଆଯାଇଛି।

ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ଆଗାମୀ ୨ ଦିନ ପାଇଁ ବର୍ଷା ନେଇ ଚେତାବନୀ ଜାରି ହୋଇଛି। ଆଜି ଦକ୍ଷିଣରୁ ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିବା ନେଇ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଅତି ଭୀଷଣ ବର୍ଷା ନେଇ ନବରଙ୍ଗପୁର ଜିଲ୍ଲାକୁ ରେଡ୍ ଆଲର୍ଟ, ୬ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ୯ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନାକୁ ଦେଖି ୟେଲୋ ୱାର୍ଣ୍ଣିଂ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

୨୪ ଘଣ୍ଟାରେ ଦୁର୍ବଳ ହେବ ଗଭୀର ଅବପାତ। ୧୨ ଘଣ୍ଟା ତୀବ୍ରତା ବଜାୟ ରଖିବ ଗଭୀର ଅବପାତ। ଗତକାଲି ରାତି ପ୍ରାୟ ସାଢ଼େ ୧୧ଟାରେ କଳିଙ୍ଗପଟ୍ଟନମ ଠାରୁ ପ୍ରାୟ ୩୦ କିଲୋମିଟର ଦକ୍ଷିଣପଶ୍ଚିମ ଦିଗରେ ସ୍ଥଳଭାଗ ଛୁଇଁଛି। ଘଣ୍ଟାପ୍ରତି ୭ କିମି ବେଗରେ ଆଗକୁ ବଢ଼ୁଥିବା ଗଭୀର ଅବପାତର ପବନର ବେଗ ସର୍ବାଧିକ ୫୫ରୁ ୬୫ କିମି ଥିଲା। ୨୪ ଘଣ୍ଟାରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସହ ଧୀରେ ଧୀରେ ଦୁର୍ବଳ ହେବ। ଅବପାତର ପ୍ରଭାବରେ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ପ୍ରବଳ ବର୍ଷା, ଝଟକା ପବନ ଏବଂ ସମୁଦ୍ର ଅଶାନ୍ତ ରହିଛି। ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ। କୋରାପୁଟ, କଳାହାଣ୍ଡି, ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *