ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦୀର୍ଘ ୪ ଘଣ୍ଟା ଧରି ଚାଲିଥିବା ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ବୈଠକରେ ଚଳିତବର୍ଷ ସ୍ନାନଯାତ୍ରାଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ନୀତିକାନ୍ତିର ସମୀକ୍ଷା କରାଯାଇ କୃତଜ୍ଞତା ପ୍ରସ୍ତାବ ଗୃହୀତ ହୋଇଛି। ସ୍ନାନଯାତ୍ରା ଓ ରଥଯାତ୍ରାର ଭିଡିଓ ଚିତ୍ର ମଧ୍ୟ ବୈଠକରେ ପ୍ରଦର୍ଶିତ ହୋଇଥିଲା। ଚଳିତବର୍ଷ ହୋଇଥିବା ତ୍ରୁଟିଗୁଡ଼ିକୁ ଆସନ୍ତାବର୍ଷ ସୁଧାରିବା ଉପରେ ଗୁରୁତ୍ୱ ଦିଆଯାଇଛି।

ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତିମଣତି, ସେବାୟତ ପିଲାଙ୍କ ପାଇଁ ଆଦର୍ଶ ଗୁରୁକୁଳ, ଶ୍ରୀଜଗନ୍ନାଥ ସଂସ୍କୃତି କେନ୍ଦ୍ର, ରଘୁନନ୍ଦନ ଲାଇବ୍ରେରୀ ଓ ସେବାୟତ ବାସଗୃହ ନେଇ ଆଲୋଚନା ହୋଇଛି। ଗୁରୁକୁଳ ପାଇଁ ୧୩୦୦ ମିଟର ବାଉଣ୍ଡ୍ରି ମଧ୍ୟରୁ ୮୦୦ ମିଟର ନିର୍ମାଣ ହୋଇଛି। ନଭେମ୍ବରରେ ଭୂମିପୂଜନ ପାଇଁ ଯୋଜନା ରହିଛି। ସୁନାବେଶ ପାଇଁ ଶ୍ରୀଜୀଉଙ୍କ ଆଉ ଏକ ସେଟ୍ ଶ୍ରୀମନ୍ଦିର ପ୍ରଶାସନର ନିଜସ୍ୱ ଅର୍ଥରେ ପ୍ରସ୍ତୁତ କରାଯିବ। ରତ୍ନଭଣ୍ଡାର ଗଣତିମଣତି ସମୟର ଡିଜିଟାଲ ଡକ୍ୟୁମେଣ୍ଟ ଆଧାରରେ ସ୍ୱଚ୍ଛତାର ସହ ଏହି ପ୍ରକ୍ରିୟା କରାଯିବ।
ସେପ୍ଟେମ୍ବର ୩୦ରୁ ଭକ୍ତଙ୍କ ପାଇଁ ଗୁଣ୍ଡିଚା ମନ୍ଦିର ଖୋଲିବ। ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦର୍ଶନ ବ୍ୟବସ୍ଥା ରହିବ ଏବଂ ପ୍ରଥମ ୩ ଦିନ ମାଗଣା ପ୍ରବେଶ ହେବ। ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଓ ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ନିମନ୍ତେ ସ୍ଲଟ୍ ବୁକିଂ ବ୍ୟବସ୍ଥା କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି।
