ଝାଡ଼ଖଣ୍ଡ ଜମଶେଦପୁରରେ ଦିନଦ୍ୱିପ୍ରହରେ ଏକ ବଡ଼ ଧରଣର ବ୍ୟାଙ୍କ ଡକାୟତି ଘଟଣାକୁ ନେଇ ଚାଞ୍ଚଲ୍ୟ । ଗୋଲମୁରି ଥାନା ଅଞ୍ଚଳରେ ଥିବା କେନରା ବ୍ୟାଙ୍କରେ ଅସ୍ତ୍ରଧାରୀ ଦୁର୍ବୃତ୍ତମାନେ ପଶି କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କୁ ବନ୍ଧକ ମୁନରେ ରଖି ଟଙ୍କା ଓ ସୁନା ଲୁଟି ଫେରାର ହୋଇଯାଇଛନ୍ତି । ଘଟଣା ପରେ ପୋଲିସର ଏକାଧିକ ଟିମ୍ ତଦନ୍ତ ଆରମ୍ଭ ।

ସୂଚନା ଅନୁସାରେ, ଗୁରୁବାର ସକାଳ ପ୍ରାୟ ୯ଟା ୧୦ ମିନିଟ୍ରେ ବ୍ୟାଙ୍କର ପିଅନ୍ ଶାଖା ଖୋଲିବା ପାଇଁ ପହଞ୍ଚିଥିଲେ। ଏହି ସମୟରେ ପ୍ରାୟ ୫ରୁ ୭ ଜଣ ଅସ୍ତ୍ରଧାରୀ ଦୁର୍ବୃତ୍ତ ବ୍ୟାଙ୍କ ଭିତରକୁ ପଶି ତାଙ୍କୁ କବ୍ଜାକୁ ନେଇଥିଲେ। ପରେ ଜଣେ ଜଣେ କର୍ମଚାରୀ ବ୍ୟାଙ୍କକୁ ଆସିବା ସହ ସମସ୍ତଙ୍କୁ ବନ୍ଧକ ମୁନରେ ବନ୍ଧି କରାଯାଇଥିଲା । ପ୍ରାୟ ୧୦ଟା ସମୟରେ ବ୍ୟାଙ୍କ ମ୍ୟାନେଜର ପହଞ୍ଚିବା ପରେ ତାଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ନିଜ କବ୍ଜାକୁ ନେଇଥିଲେ। ଏହାପରେ ଦୁର୍ବୁତ୍ତମାନେ ବ୍ୟାଙ୍କରୁ ପ୍ରାୟ ୪୨ ଲକ୍ଷ ଟଙ୍କା ନଗଦ ଲୁଟ୍ ହୋଇଥିବା ଜଣାପଡ଼ିଛି। ଏହା ସହିତ ପ୍ରାୟ ୬୫୦ ପ୍ୟାକେଟ୍ରେ ରହିଥିବା ସୁନା ଅଳଙ୍କାର ମଧ୍ୟ ଲୁଟ୍ ହୋଇଛି। ଲୁଟ୍ ହୋଇଥିବା ସୁନାର ଓଜନ ପ୍ରାୟ ୨୩ କିଲୋଗ୍ରାମ ବୋଲି ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ସୁନାର ଆନୁମାନିକ ମୂଲ୍ୟ ୩୨ କୋଟି ଟଙ୍କାରୁ ଅଧିକ ବୋଲି କୁହାଯାଉଥିଲେ ମଧ୍ୟ ବ୍ୟାଙ୍କର ରେକର୍ଡ ଓ ତଦନ୍ତ ପରେ ପ୍ରକୃତ ମୂଲ୍ୟ ସ୍ପଷ୍ଟ ହେବ।
ଡକାୟତି ସମୟରେ ସୁରକ୍ଷାକର୍ମୀଙ୍କ ସହ ଦୁର୍ବୃତ୍ତଙ୍କ ମାଡ଼ପିଟ୍ ହୋଇଥିବା ମଧ୍ୟ ଜଣାପଡ଼ିଛି। ବ୍ୟାଙ୍କ ଭିତରୁ ରକ୍ତ ଦାଗ ମିଳିବା ପରେ ପୋଲିସ ଏହି ଦିଗକୁ ମଧ୍ୟ ତଦନ୍ତରେ ସାମିଲ କରିଛି। ଘଟଣାର ଗମ୍ଭୀରତାକୁ ଦେଖି ସିଟି ଏସ୍ପିଙ୍କ ନେତୃତ୍ୱରେ ୨୦ ଜଣିଆ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ କରାଯାଇଛି। ବ୍ୟାଙ୍କରେ ଲାଗିଥିବା CCTV କ୍ୟାମେରା ଫୁଟେଜ୍କୁ ଆଧାର କରି ପୋଲିସ ୫ ଜଣ ସନ୍ଦିଗ୍ଧ ଲୁଟେରାଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ କରୁଛି। ସେମାନଙ୍କ ସମ୍ପର୍କରେ ସୂଚନା ଦେଲେ ମୋଟ ୨ ଲକ୍ଷ ଟଙ୍କା ପୁରସ୍କାର ଦେବାକୁ ପୋଲିସ ଘୋଷଣା କରିଛି । ସନ୍ଦିଗ୍ଧମାନଙ୍କ ସମ୍ଭାବ୍ୟ ଠିକଣାରେ ବିଭିନ୍ନ ରାଜ୍ୟରେ ଚଢ଼ାଉ ମଧ୍ୟ ଜାରି ରହିଛି ।
