ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ନେଇ ଆଜି ସୁପ୍ରିମକୋର୍ଟରେ ହେବ ଗୁରୁତ୍ୱପୂର୍ଣ୍ଣ ଶୁଣାଣି । SIR ସମୟରେ ନିର୍ବାଚନ କମିଶନଙ୍କ ନାଁରେ ନିଆଯାଇଥିବା କେତେକ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାଏର ଦୁଇଟି ଆବେଦନର ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ । CJI ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ୍ ଭି. ମୋହନାଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ମାମଲାର ମୁଖ୍ୟ ପ୍ରଶ୍ନ ହେଉଛି—ନିର୍ବାଚନ କମିଶନ ଏକ ବହୁସଦସ୍ୟ ବିଶିଷ୍ଟ ସାମ୍ବିଧାନିକ ସଂସ୍ଥା ହୋଇଥିବା ବେଳେ, ଅନ୍ୟ ଦୁଇ ନିର୍ବାଚନ କମିଶନରଙ୍କ ସହମତି ବିନା CEC ଏକାକୀ କମିଶନଙ୍କ ନାଁରେ ନିଷ୍ପତ୍ତି ନେଇପାରିବେ କି?

ଆବେଦନକାରୀଙ୍କ ଅଭିଯୋଗ ଅନୁସାରେ, SIR ସହ ଜଡ଼ିତ ଅନେକ ନିଷ୍ପତ୍ତି ଅନ୍ୟ ଦୁଇ ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଯୋଶୀଙ୍କ ଆପତ୍ତି ସତ୍ତ୍ୱେ ନିଆଯାଇଥିଲା । ଆବେଦନରେ ଦାବି କରାଯାଇଛି ଯେ, ୨୦୨୫ ଅକ୍ଟୋବରରୁ ୨୦୨୬ ଅଗଷ୍ଟ ମଧ୍ୟରେ ଅତିକମରେ ୧୪ଟି ପ୍ରସଙ୍ଗରେ ଦୁଇ କମିଶନର ଆପତ୍ତି ରେକର୍ଡ କରିଥିଲେ । ଆବେଦନକାରୀମାନେ ଏହି ୧୪ଟି SIR ସମ୍ପର୍କିତ ନିଷ୍ପତ୍ତିକୁ ରଦ୍ଦ କରିବା ସହ CECଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହାସହ ଭୋଟର ତାଲିକାରୁ ନାଁ ବାଦ୍ ପଡ଼ିବା ଘଟଣାରେ ସ୍ୱତନ୍ତ୍ର SIT ତଦନ୍ତ ଏବଂ CECଙ୍କୁ ଅନ୍ତରୀଣ ଭାବେ ପଦରୁ ଦୂରେଇ ରଖିବାକୁ ମଧ୍ୟ ଅନୁରୋଧ ହୋଇଛି। ଅନ୍ୟ ଏକ ଆବେଦନରେ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତିଙ୍କ ନେତୃତ୍ୱରେ ସ୍ୱାଧୀନ ନ୍ୟାୟିକ ତଦନ୍ତ କମିଶନ କିମ୍ବା SIT ଗଠନ ପାଇଁ ଦାବି କରାଯାଇଛି ।
