ଓଡ଼ିଶାରୁ ବିଦାୟ ନେବାକୁ ଯାଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଆଗାମୀ ୨ରୁ ୩ ଦିନ ମଧ୍ୟରେ ରାଜ୍ୟରୁ ମୌସୁମୀ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିପାରେ। ଏହା ସହ ଆଗାମୀ ୩ ଦିନ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ଓ କୌଣସି ବଡ଼ ବର୍ଷା ସତର୍କତା ନାହିଁ।ତେବେ ଶୁଖିଲା ପାଗ ବେଶି ଦିନ ରହିବ ନାହିଁ। ୭ କିମ୍ବା ୮ ଅକ୍ଟୋବର ବେଳକୁ ପଶ୍ଚିମା ଝଡ଼ର ପ୍ରଭାବ ପଡ଼ିପାରେ। ଏହାର ପ୍ରଭାବରେ ୮ରୁ ୧୦ ଅକ୍ଟୋବର ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅନ୍ୟପଟେ ୧୩ କିମ୍ବା ୧୪ ଅକ୍ଟୋବର ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରେ ଏହା ଲଘୁଚାପର ରୂପ ନେଇପାରେ। ତେବେ ଏହା ବାତ୍ୟାରେ ପରିଣତ ହେବ କି ନାହିଁ, ସେନେଇ ଏବେ କୌଣସି ସ୍ପଷ୍ଟ ସୂଚନା ନାହିଁ।ସେପଟେ ମୌସୁମୀ ବିଦାୟ ସହ ରାଜ୍ୟରେ ଶୀତର ଆଭାସ ମଧ୍ୟ ଆରମ୍ଭ ହୋଇଛି। କିଛି ଜିଲ୍ଲାରେ ସକାଳୁ କୁହୁଡ଼ି ଦେଖାଯାଉଥିବା ବେଳେ ଆଗାମୀ ଦିନରେ ରାତି ତାପମାତ୍ରା ଆହୁରି କମିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଦେଶରୁ ମଧ୍ୟ ମୌସୁମୀ ବାୟୁ ଦ୍ରୁତ ଗତିରେ ଫେରୁଛି । ଆଗାମୀ ୨୪ ଘଣ୍ଟାରେ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ସମେତ ଆଉ କିଛି ଅଞ୍ଚଳରୁ ମୌସୁମୀ ପ୍ରତ୍ୟାହାର ପାଇଁ ପାଗ ଅନୁକୂଳ ହେବାର ଆକଳନ ରହିଛି । ହେଲେ ଶୁଖିଲା ପାଗ ବେଶି ଦିନ ରହି ନପାରେ । ୭ କିମ୍ବା ୮ ତାରିଖ ବେଳକୁ ପଶ୍ଚିମା ଝଡ଼ର ପ୍ରଭାବ ପଡ଼ିବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ୮ରୁ ୧୦ ତାରିଖ ମଧ୍ୟରେ ଓଡ଼ିଶାର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ତେଣୁ ଦଶହରା ସମୟରେ କିଛି ଅଞ୍ଚଳରେ ବର୍ଷା ପୂଜା ମାହୋଲକୁ ପ୍ରଭାବିତ କରିପାରେ । ଏହାପରେ ନଜର ରହିବ ଆଣ୍ଡାମାନ ସାଗର ଉପରେ ।
