ଓମ୍‌ସା ସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ, ଆଜିଠୁ କାର୍ଯ୍ୟରେ ଯୋଗ ଦେବେ

ଗତ ୧ ତାରିଖ ଠାରୁ ଦଶ ଦଫା ଦାବି ନେଇ ଆରମ୍ଭ ହୋଇଥିବା ଡାକ୍ତରଙ୍କ ଆନ୍ଦୋଳନ ଆଜି ସ୍ଥଗିତ ହୋଇଛି । ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହିତ ଆଲୋଚନା କଲା ପରେ ଡାକ୍ତରମାନେ ଆନ୍ଦୋଳନ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଜି ଠାରୁ ଡାକ୍ତରମାନେ ନିଜ କର୍ମକ୍ଷେତ୍ରରେ ଯୋଗ ଦେବେ । ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ ପକ୍ଷରୁ ଡାକରା ଦିଆଯାଇଥିବା ଅନିର୍ଦ୍ଦିଷ୍ଟ କାଳିନ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି । ରାଜ୍ୟରେ ସ୍ୱାଭାବିକ ହେବ ସ୍ୱାସ୍ଥ୍ୟ ସେବା । ରାଜ୍ୟ ସରକାରଙ୍କ ସହ ସଫଳ ଆଲୋଚନା ଏବଂ ମିଳିଥିବା ପ୍ରତିଶ୍ରୁତି ପରେ ଓମ୍‌ସା ଏହି ନିଷ୍ପତ୍ତି ନେଇଛି । ଡାକ୍ତରମାନଙ୍କର ଦୀର୍ଘଦିନର ଦାବିଗୁଡ଼ିକର ସମାଧାନ ପାଇଁ ସରକାର ଏକ ‘ସଚିବ ସ୍ତରୀୟ କମିଟି’ ଗଠନ କରିବେ ବୋଲି ଆଶ୍ୱାସନା ଦେଇଛନ୍ତି । ଏହି ନିଷ୍ପତ୍ତି ପରେ ରାଜ୍ୟର ସରକାରୀ ହସ୍ପିଟାଲଗୁଡ଼ିକରେ ଓପିଡି, ଆଇପିଡି ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ସ୍ୱାଭାବିକ ହେବାକୁ ଯାଉଛି ।

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ନେଇ ଓମ୍‌ସା ପକ୍ଷରୁ ମଧ୍ୟ କୁହାଯାଇଛି ଯେ, ଆଲୋଚନା ପରେ ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ ରଖାଯାଇଛି । ଆଲୋଚନା ସମୟରେ ଓମ୍‌ସାର ଦାବି ନେଇ ଉଚ୍ଚସ୍ତରୀୟ କମିଟି ଗଠନ ନିଷ୍ପତ୍ତି ହୋଇଛି । କମିଟିରେ ସ୍ବାସ୍ଥ୍ୟ, ଜିଏ, ଅର୍ଥ, ଆଇନ ସଚିବ ସ୍ଥାନିତ ହୋଇଛନ୍ତି । ଆସନ୍ତା ୨୨ ତାରିଖରେ କମିଟିର ପ୍ରଥମ ବୈଠକ ବସିବ । ଜୁଲାଇ ୨୨ ବୈଠକରେ ଚିଫ ସେକ୍ରେଟାରୀ ଦେବେ ରିପୋର୍ଟ ।

Leave a Reply

Your email address will not be published. Required fields are marked *