ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ଡା ପଞ୍ଚାୟତର ତ୍ରିନାଥ ନାଗଙ୍କ ଜୀବନ କାହାଣୀ ଏକ ଦୁଃଖଦ ଓ ସଂଘର୍ଷମୟ ଚିତ୍ର ପ୍ରସ୍ତୁତ କରେ । ଆର୍ଥିକ ଅଭାବରେ ପଡ଼ି କିଛି ବର୍ଷ ପୂର୍ବେ ସେ ଦାଦନ ଖଟିବା ପାଇଁ ବାହାରକୁ ଯାଇଥିଲେ । କିନ୍ତୁ ଭାଗ୍ୟର କଠୋର ଖେଳରେ ଏକ ଦୁର୍ଘଟଣା ତାଙ୍କ ଜୀବନକୁ ସମ୍ପୂର୍ଣ୍ଣ ବଦଳାଇଦେଲା । ସେହି ଦୁର୍ଘଟଣାରେ ତାଙ୍କର ଦୁଇଟି ଗୋଡ଼ ସମ୍ପୂର୍ଣ୍ଣ ଅକାମି ହୋଇଯାଇଛି ।
ତାଙ୍କ ଶାରୀରିକ ସ୍ଥିତି ଗୁରୁତର ଥିବା ସତ୍ୱେ, ମେଡିକାଲ ବୋର୍ଡ ତାଙ୍କୁ କେବଳ ୪୦ ପ୍ରତିଶତ ଭିନ୍ନକ୍ଷମ ପ୍ରମାଣପତ୍ର ଦେଇଛନ୍ତି । ଏହାର ପରିଣାମରେ ସେ ମାସିକ ଭିନ୍ନକ୍ଷମ ଭତ୍ତା ଭାବରେ କେବଳ ୧୦୦୦ ଟଙ୍କା ପାଉଛନ୍ତି । ଏହା ସହିତ ସରକାରୀ ଯୋଜନା ଅନୁସାରେ ସେ ପ୍ରତିମାସ ୫ କେଜି ଚାଉଳ ପାଉଥିବା ବେଳେ, ତାଙ୍କ ଦୈନନ୍ଦିନ ଜୀବନ ଚଳାଇବା ପାଇଁ ଏହା ଅତ୍ୟନ୍ତ ଅପର୍ଯ୍ୟାପ୍ତ ।
ଅନ୍ତୋଦୟ ଗୃହ ଯୋଜନା ଥିଲେ ମଧ୍ୟ, ତ୍ରିନାଥ ନାଗ ଏପର୍ଯ୍ୟନ୍ତ ଗୋଟିଏ ପକ୍କା ଘର ପାଇ ପାରିନାହାନ୍ତି । ତାଙ୍କ ପାଖରେ ଅନ୍ତର୍ଦ୍ୱୟ ରେସନ୍ କାର୍ଡ ମଧ୍ୟ ନାହିଁ । ସେ ତାଙ୍କର ଜୀବନସଂଗିନୀ , ଗୋଟିଏ ପୁଅ ଓ ବିଧବା ମା ସହ ଏକ ଅତ୍ୟନ୍ତ କଷ୍ଟଦାୟକ ପରିସ୍ଥିତିରେ ଜୀବନ ଯାପନ କରୁଛନ୍ତି । ପରିବାରର ସମସ୍ତ ଭାର ବୋହିବା ପାଇଁ ତାଙ୍କ ସ୍ତ୍ରୀ ଦିନ ମଜୁରୀ କରି ଘର ଚାଲାଉଛନ୍ତି ।

ତ୍ରିନାଥ ନାଗ ତାଙ୍କର ଦୁଇଟି ଗୋଡ଼ ଅକାମି ହୋଇଥିବାରୁ, ସେ ସରକାରଙ୍କୁ ନିବେଦନ କରିଛନ୍ତି ଯେ ତାଙ୍କୁ ଏକ ତିନି ଚକିଆ ଯାନ (ୱିଲଚେୟାର), ଭିନ୍ନକ୍ଷମ ପ୍ରତିଶତ ବୃଦ୍ଧି, ଅନ୍ତୋଦୟ କାର୍ଡ, ମାସିକ ୩୫୦୦ ଟଙ୍କା ଭତ୍ତା ଏବଂ ଅନ୍ତୋଦୟ ଗୃହ ଯୋଗାଇଦିଆଯାଉ ।
ଏନେଇଁ ସିନାପାଲି ବିଡ଼ିଓ କାର୍ମି ଓରାମ ନିଜ ପ୍ରତିକ୍ରିୟା ରେ କହିଛନ୍ତି ଯେ, ଶୀଘ୍ର ଏକ ସ୍ୱତନ୍ତ୍ର ଟିମ ଗଠନ କରି ଘଟଣାର ତଦନ୍ତ କରାଯିବ ଏବଂ ତ୍ରିନାଥ ନାଗଙ୍କୁ ସରକାରୀ ମୌଳିକ ସୁବିଧା ଯଥାଶୀଘ୍ର ଯୋଗାଇଦେବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।
ଏବେ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ କିଭଳି ତ୍ରିନାଥ ନାଗ ଙ୍କୁ ପ୍ରଶାସନ ତରଫରୁ ମିଳୁଛି ନ୍ୟାୟ ଏବଂ କେବେ ଡବଲ ଇଂଜିନ ତରଫରୁ ମିଳୁଛି ପକ୍କା ଘର.
