ଆନ୍ତର୍ଜାତୀୟ ମାତୃ ଦିବସ ଅବସରରେ ସ୍ଵାକ ସଂଗଠନ ପକ୍ଷରୁ ଚକାପାଦ ବ୍ଲକ ଅନ୍ତର୍ଗତ ପସରା ପଞ୍ଚବଟିସ୍ଥିତ ଯୁବ ଜ୍ୟୋତି ଯୁବକ ସଂଘ ପରିଚାଳିତ ବୃଦ୍ଧାଶ୍ରମରେ ଏକ ସ୍ନେହଭରା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ବୃଦ୍ଧାଶ୍ରମରେ ରହୁଥିବା ବୃଦ୍ଧା ଓ ବୃଦ୍ଧମାନଙ୍କ ସହ ସଂଗଠନର ସଦସ୍ୟମାନେ ସମୟ ବିତାଇ ମାତୃ ଦିବସ ପାଳନ କରିଥିଲେ। କାର୍ଯ୍ୟକ୍ରମରେ ବକ୍ତାମାନେ କହିଥିଲେ ଯେ, ଆଜିର ସମାଜରେ ଅନେକ ସନ୍ତାନ ନିଜ ମାତାପିତାଙ୍କ ତ୍ୟାଗ ଓ ସ୍ନେହର ମୂଲ୍ୟ ବୁଝିନଥାନ୍ତି। ଜୀବନର ଶେଷ ପର୍ଯ୍ୟାୟରେ କେତେକ ବୃଦ୍ଧ ବୃଦ୍ଧାଙ୍କୁ ଜରାନିବାସରେ ଛାଡି ଦେବା ଘଟଣା ଅତ୍ୟନ୍ତ ଦୁଃଖଦାୟକ ବୋଲି ସେମାନେ ମତ ପ୍ରକାଶ କରିଥିଲେ।ସ୍ଵାକ ସଂଗଠନ ପକ୍ଷରୁ ବୃଦ୍ଧାଶ୍ରମର ସମସ୍ତ ଅନ୍ତେବାସୀଙ୍କୁ ନୂତନ ବସ୍ତ୍ର ବଣ୍ଟନ କରାଯାଇଥିଲା। ସେଥିସହ ସଦସ୍ୟମାନେ ବୃଦ୍ଧା ବୃଦ୍ଧଙ୍କ ସହ କଥାବାର୍ତ୍ତା କରି ସେମାନଙ୍କ ଦୁଃଖସୁଖ ବାଣ୍ଟିଥିଲେ। ପରିବାରଠାରୁ ଦୂରେ ରହିଥିଲେ ମଧ୍ୟ ବୃଦ୍ଧାଶ୍ରମରେ ସମସ୍ତେ ଏକ ପରିବାରର ସଦସ୍ୟ ଭଳି ସ୍ନେହ ଓ ଭାଇଚାରାରେ ରହୁଥିବା ଦେଖିବାକୁ ମିଳିଥିଲା।
ଏହି କାର୍ଯ୍ୟକ୍ରମରେ ବୃଦ୍ଧାଶ୍ରମର ତତ୍ତ୍ୱାବଧାରକ ବୈରାଗୀ ଚରଣ ପ୍ରଧାନ, ୱାର୍ଡେନ ବୈଯନ୍ତି ବଗର୍ତ୍ତି, ସହଯୋଗୀ ବଟକୃଷ୍ଣ ବେହେରାଙ୍କ ସହ ସ୍ଵାକ ସଂଗଠନର ସଭାପତି ଆମନ ଚନ୍ଦ୍ର ନାୟକ, ବରିଷ୍ଠ ଉପଦେଷ୍ଟା ଗୋଲୋକ ଚନ୍ଦ୍ର ପଟ୍ଟନାୟକ, ସମୀର କୁମାର ପାଢ଼ୀ, ସମ୍ପାଦକ ହୃଷିକେଶ ପ୍ରଧାନ, ସହସମ୍ପାଦକ ସଂଜୀବ କୁମାର ଦିଗାଲ, କୋଷାଧ୍ୟକ୍ଷ ସାମନ୍ତ ଶେଖର ନାୟକ, ସସ୍ମିତା ମଲ୍ଲିକ, ମିନାକ୍ଷୀ ପ୍ରଧାନ, ଚିନ୍ମୟ କୁମାର ସେଠି, ମିହିରକାନ୍ତ ଦିଗାଲ ଓ ସଂଜୀବ ଦିଗାଲ ପ୍ରମୁଖ ଉପସ୍ଥିତ ଥିଲେ।
