ଆଜି ଓଡିଆ ବଜାରସ୍ଥିତ ନେତାଜୀ ସଂସ୍କୃତି ଭବନଠାରେ ଆଭାସୀ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ” ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା”ର ଶୁଭ ଉଦଘାଟନ ସହ ପୋଷଣ ଅଭିଯାନ ଅଧୀନରେ ସ୍ମାର୍ଟ ଫୋନ ବଣ୍ଟନର ଶୁଭାରମ୍ଭ ଓ ଅଙ୍ଗନବାଡି କର୍ମୀଙ୍କୁ ସ୍ମାର୍ଟ ଫୋନ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା ପ୍ରସ୍ତୁତ ହୋଇଥିବା ଭିଡ଼ିଓ ଏବଂ ସଂଗୀତ ପରିବେଷଣ କରାଯାଇଥିଲା । ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ସ୍ୱାଗତ ସମ୍ଭାଷଣ ପ୍ରଦାନ ପୂର୍ବକ ସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ଏବଂ ଲୋକାଭିମୁଖୀ ଯୋଜନା ବିଷୟରେ ଆଲୋକପାତ କରିଥିଲେ । ବରେଣ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ମାନ୍ୟବର ବିଧାୟକ ନିଆଳି, ଶ୍ରୀ ଛବି ମଲ୍ଲିକ କହିଲେ ଯେ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ସମସ୍ତ ଯୋଜନାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ସରକାରଙ୍କ ମୂଳଲକ୍ଷ୍ୟ ।
ରାସନ କାର୍ଡ ଆବଣ୍ଟନ ରେ କଟକ ଜିଲ୍ଲା ବଡ ସଫଳତା ପାଇପାରିଛି । ମୁଖ୍ୟମନ୍ତ୍ରୀ ଅନ୍ତୋଦୟ ଗୃହ ଯୋଜନାରେ ବହୁତ ଲୋକମାନଙ୍କୁ ଘର ମିଳି ପାରିଛି ଏବଂ ଆଗକୁ ମଧ୍ୟ ସରକାରଙ୍କ ଦ୍ୱାରା କଟକ ଜିଲ୍ଲାପାଇଁ ବହୁତ ଉନ୍ନତି ମୂଳକ କାର୍ଯ୍ୟ ହେବ ବୋଲି କହିଥିଲେ । ଅନ୍ୟତମ ବରେଣ୍ୟ ଅତିଥି ମାନ୍ୟବର ବିଧାୟକ କଟକ ସଦର, ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଯୋଗଦେଇ ସରକାରଙ୍କ ସମସ୍ତ ଯୋଜନାରେ “ମା” ମାନେ କିଭଳି ଉପକୃତ ହୋଇ ସ୍ୱାବଲମ୍ବୀ ହୋଇ ପାରିଛନ୍ତି ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ସ୍ୱାସ୍ଥ୍ୟ ସେବା ପାଇଁ ଜନ ଔଷଧୀ ଯୋଜନା ଦ୍ୱାରା କିଭଳି ଭାବରେ ଜନସାଧାରଣ ଉପକୃତ ହେଉଛନ୍ତି ତାହା ଉପରେ ମଧ୍ୟ ଆଲୋକପାତ କରିଥିଲେ । ମହିଳା ଏବଂ ଶିଶୁ ବିକାଶ ବିଭାଗର ‘ପୋଷଣ ଯୋଜନା’ ଅଧୀନରେ ମହିଳାମାନଙ୍କୁ ସଶକ୍ତ ଓ ଡିଜିଟାଲ୍ ଦୁନିଆ ସହ ଯୋଡ଼ିବା ପାଇଁ ୧୦ ଟି ସ୍ମାର୍ଟଫୋନ୍ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ଉପସ୍ଥିତ ୫ ଜଣ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯାଇଛି
ଏହି ଅବସରରେ କେନ୍ଦ୍ରାପଡା ସାଂସଦଙ୍କ ପ୍ରତିନିଧି ଚୌଧୁରୀ ହେମନ୍ତ କୁମାର ସାହୁ, ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଚନ୍ଦ୍ରଶେଖର ପାତ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ରଶ୍ମିତା ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଅତିରିକ୍ତ ଜିଲ୍ଲାପାଳ ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।
