ପରିବେଶ ଓ ଜୀବିକା ଆଶଙ୍କା: କୋଡ଼ିଙ୍ଗାମାଳି “୬ ମିଲିୟନ ଟନ  ଯୋଜନାକୁ ବିରୋଧ

ଜନଶୁଣାଣୀ ପୂର୍ବରୁ ଅସନ୍ତୋଷ : ଜିଲ୍ଲାପାଳ ଦେଲେ ଦାବି ପତ୍ର

କୋରାପୁଟ ଜିଲ୍ଲାର କୋଡ଼ିଙ୍ଗାମାଳି ବକ୍ସାଇଟ ଖଣିକୁ ନେଇ ଦେଖାଦେଇଛି ଅସନ୍ତୋଷ । ଖଣି ଉତ୍ତୋଳନକୁ ୩ ମିଲିୟନ ଟନରୁ ୬ ମିଲିୟନ ଟନକୁ ବଢ଼ାଇବା ଯୋଜନାକୁ ବିରୋଧ କରି ସ୍ଥାନୀୟ ବାସୀମାନେ ଆଗକୁ ଆସିଛନ୍ତି । ପରିବେଶ ଓ ଜୀବିକା ଉପରେ ପ୍ରଭାବକୁ ନେଇ ଚିନ୍ତା ବଢ଼ିବା ସହିତ, ଜନଶୁଣାଣୀ ପୂର୍ବରୁ ଆରମ୍ଭ ହୋଇଛି ବିରୋଧର ସ୍ୱର ।

କୋରାପୁଟ ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କୋଡ଼ିଙ୍ଗାମାଳି ଅଞ୍ଚଳରେ ବକ୍ସାଇଟ ଖଣି ବିସ୍ତାର ଯୋଜନାକୁ ନେଇ ଚିନ୍ତା ବ୍ୟକ୍ତ କରୁଛନ୍ତି ସ୍ଥାନୀୟ ଲୋକମାନେ। ପୂର୍ବରୁ ୩ ମିଲିୟନ ମେଟ୍ରିକ ଟନ ଉତ୍ତୋଳନ ପାଇଁ ଅନୁମତି ଥିବାବେଳେ, ବର୍ତ୍ତମାନ ଏହାକୁ ୬ ମିଲିୟନ ଟନକୁ ବଢ଼ାଇବା ପାଇଁ ଯୋଜନା ହେଉଛି ।

ଏହି ବିସ୍ତାର ପରିବେଶ, ଜଳ ସମ୍ପଦ ଓ ସ୍ଥାନୀୟ ଜୀବିକାକୁ ଗଭୀର ପ୍ରଭାବିତ କରିବ ବୋଲି ଲୋକମାନେ ଆଶଙ୍କା କରୁଛନ୍ତି। ଆଜି ପ୍ରଭାବିତ ଅଞ୍ଚଳର ବାସୀମାନେ ଜିଲ୍ଲାପାଳଙ୍କୁ ଭେଟି ଏହି ପ୍ରସ୍ତାବକୁ ତତ୍କ୍ଷଣାତ୍ ପ୍ରତ୍ୟାହାର କରିବାକୁ ଦାବି ଜଣାଇଛନ୍ତି।

ସେହିପରି, ଚମ୍ପି ଅଞ୍ଚଳରେ ଆୟୋଜିତ ହେବାକୁଥିବା ଜନଶୁଣାଣୀକୁ ନେଇ ମଧ୍ୟ ବିରୋଧ ଜୋରଦାର ହେଉଛି। ଲୋକମାନଙ୍କ କହିବା ଅନୁଯାୟୀ, ଜନମତକୁ ଅଣଦେଖା କରି ଏପରି ପ୍ରକଳ୍ପ ଆଗକୁ ବଢ଼ାଯିବା ଉଚିତ୍ ନୁହେଁ।

ଏହାସହିତ, ଖଣି ବିସ୍ତାର ଯୋଜନାକୁ ବନ୍ଦ କରିବା ଓ ଜନଶୁଣାଣୀକୁ ରଦ୍ଦ କରିବା ଦାବିରେ ସ୍ଥାନୀୟ ବାସୀମାନେ ପ୍ରଶାସନଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି। ଆଗାମୀ ଦିନରେ ଏହି ବିରୋଧ ଆନ୍ଦୋଳନ ଆହୁରି ତୀବ୍ର ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *