ଦେଶ ସ୍ୱାଧୀନତାର ୭୯ ବର୍ଷ ପରେ ମଧ୍ୟ ମିଳୁନି ଲୋକଙ୍କୁ ପର୍ଯ୍ୟପ୍ତ ପିଇବା ପାଣି। ସରକାର ଘର ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଡିଣ୍ଡିମ ପିଟୁଥିବା ବେଳେ, କଳାହାଣ୍ଡି ଜିଲ୍ଲାରୁ ଆସିଛି ଏକ ଚିନ୍ତାଜନକ ଚିତ୍ର। ଗାଁରେ ବସବାସ କରୁଥିବା ୩୦୦ରୁ ଉର୍ଦ୍ଧ ପରିବାର ପାଇଁ ରହିଛି ମାତ୍ର ଗୋଟିଏ ସୋଲାର ପାଣି ଟାଙ୍କି।ଗାଧୁଆ ଇ ଶୌଚ ପାଇଁ ମଧ୍ୟ ଭରସା ଏଇ ଗୋଟିଏ ସୋଲାର ପାଣି ଟାଙ୍କି।ଆଉ ଏହାକୁ ଭରସା କରି ଦୈନନ୍ଦିନ ଜୀବନ କାଟୁଛନ୍ତି ସ୍ଥାନୀୟ ଲୋକେ। ପାଗ ଯଦି ମେଘୁଆ ଛିନ୍ନ ରହେ ତାହେଲେ ପାଣି ମିଳିବା ମଧ୍ୟ ଅସମ୍ଭବ। ବର୍ଷା ଋତୁରେ କେବଳ ବର୍ଷା ପାଣି କୁ ହିଁ ଭରସା।
କେଉଁଠି ରହିଛି ଏଭଳି ସମସ୍ୟା ?

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଏବଂ ଜୁନାଗଡ଼ ବ୍ଲକର ସୀମାନ୍ତରେ ରହିଛି ଦୁନ୍ଦେଲମାଲ ଗ୍ରାମ ପଞ୍ଚାୟତ। ଆଉ ଏହି ପଞ୍ଚାୟତର ଦୁଇଟି ଗାଁ ହେଉଛି ଉପରର୍ଦୁଣ୍ଡା ଏବଂ ତଳଦୁଣ୍ଡା। ସ୍ୱାଧୀନତାର ୭୯ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ଦୁଇଟି ଗାଁର ବିକାଶ ଏବେ ବି ଅଧାପନ୍ତରିଆ ହୋଇ ପଡ଼ି ରହିଛି। ବିଶେଷ କରି ପାନୀୟ ଜଳ ସମସ୍ୟା ଏଠାରେ ଉଗ୍ର ରୂପ ଧାରଣ କରିଛି। ଦୁଇଟି ଗାଁର ଶତାଧିକ ଲୋକଙ୍କ ପାଇଁ ସରକାରଙ୍କ ତରଫରୁ ଗୋଟିଏ ମାତ୍ର ସୋଲାର ପାଣି ଟାଙ୍କି ନିର୍ମାଣ କରାଯାଇଛି, ଯାହା ଏବେ ସମଗ୍ର ଅଞ୍ଚଳ ପାଇଁ ଏକମାତ୍ର ଭରସା ପାଲଟିଛି।
”ଆମ ଗାଁରେ ପାଣିର ବହୁତ ଅସୁବିଧା ହେଉଛି। ଏତେ ବଡ଼ ଗାଁରେ ମାତ୍ର ଗୋଟିଏ ସୋଲାର ଟାଙ୍କି ଅଛି। ସକାଳୁ ଲାଇନ୍ ଲଗାଇବାକୁ ପଡ଼ୁଛି। ପାଣି ଟିକେ ପାଇଁ ଝଗଡ଼ା ମଧ୍ୟ ହେଉଛି। ସରକାର ଆମ କଥା ବୁଝୁନାହାନ୍ତି କି ସରପଞ୍ଚ କୁ କହିଲେ ମଧ୍ୟ ଶୁଣୁନାହାନ୍ତି ।”
ପ୍ରତି ଦିନ ସକାଳୁ ଏହି ସୋଲାର ଟାଙ୍କି ସାମ୍ନାରେ ଗରା, ବାଲଟିର ଲମ୍ବା ଲାଇନ ଦେଖିବାକୁ ମିଳେ। ସୋଲାର ପମ୍ପ ଉପରେ ଚାପ ବଢ଼ୁଥିବାରୁ ସମସ୍ତଙ୍କୁ ପର୍ଯ୍ୟପ୍ତ ପାଣି ମିଳିପାରୁ ନାହିଁ। ରୋଷେଇ ଠାରୁ ଆରମ୍ଭ କରି ଶୌଚ ହେବା ପର୍ଯ୍ୟନ୍ତ ସବୁ କାମ ପାଇଁ ଲୋକେ ଏହି ଗୋଟିଏ ଟାଙ୍କି ଉପରେ ନିର୍ଭରଶୀଳ। ଅନେକ ସମୟରେ ପାଣି ଟିକକ ପାଇଁ ଗାଁରେ ଅଶାନ୍ତି ମଧ୍ୟ ସୃଷ୍ଟି ହେଉଛି। ପ୍ରଶାସନକୁ ବାରମ୍ବାର ଗୁହାରି କଲେ ମଧ୍ୟ କେହି ଶୁଣୁ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।
”ଉପରର୍ଦୁଣ୍ଡା ଓ ତଳଦୁଣ୍ଡା ଗାଁର ଲୋକେ ପାଣି ପାଇଁ ଡହଳବିକଳ ହେଉଛନ୍ତି। ନିର୍ବାଚନ ଆସିଲେ ନେତାମାନେ ବଡ଼ ବଡ଼ ପ୍ରତିଶ୍ରୁତି ଦିଅନ୍ତି, ହେଲେ ଭୋଟ ସରିଲେ କେହି ଦେଖା ଦିଅନ୍ତି ନାହିଁ । ଯଦି ଆଗକୁ ପାଣି ସମସ୍ୟାର ସମାଧାନ ନହୁଏ, ତେବେ ଆମେ ଆନ୍ଦୋଳନକୁ ଓହ୍ଲାଇବୁ।”
