ଆଜି ଅନ୍ତର୍ଜାତୀୟ ମାତୃଭାଷା ଦିବସ । ପ୍ରତ୍ୟେକ ବର୍ଷ ଫେବୃଆରୀ ୨୧ ତାରିଖରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୁଏ । ବିଶ୍ବରେ ଭାଷା ଏବଂ ସଂସ୍କୃତିର ବିବିଧତାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି । ଗତ ୨୦୦୦ ମସିହାରେ ଜାତିସଂଘ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରିବାକୁ ଘୋଷଣା କରିଥିଲା ।
୧୯୯୯ ନଭେମ୍ବର ୧୭ ତାରିଖରେ UNESCO ପ୍ରଥମେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରିବାକୁ ଅନୁମୋଦନ ଦେଇଥିଲା । ୨୦୦୦ ମସିହା ଫେବୃଆରୀ ୨୧ରେ ପ୍ରଥମ ଥର ପାଇଁ UNESCO ଅଧୀନରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଇଥିଲା । ଏହାର ମୂଳ ଉଦ୍ଦେଶ୍ୟ ଥିଲା ସମଗ୍ର ବିଶ୍ୱରେ ଭାଷାଭିତ୍ତିକ ଏବଂ ସାଂସ୍କୃତିକ ବିବିଧତା ଏବଂ ବହୁଭାଷୀତାକୁ ପ୍ରୋତ୍ସାହିତ କରିବା ତଥା ସୁରକ୍ଷା ଦେବା ।
୧୯୫୨ର ବାଂଲାଦେଶ ଭାଷା ଆନ୍ଦୋଳନ ଦିବସକୁ ସ୍ମରଣ କରାଯାଇଥାଏ । ୨୧ ଫେବୃୟାରୀରେ ବାଂଲାଦେଶୀ ଭାଷା ଆନ୍ଦେଳନରେ ରାଜଧାନୀ ଢାକାରେ ୪ ଜଣ ବେଙ୍ଗଲୀ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ସେମାନଙ୍କ ବଳିଦାନକୁ ସମ୍ମାନ ଜଣାଇ ଏହି ଦିନ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯିବା ପାଇଁ ଜାତିସଂଘ ନିଷ୍ପତ୍ତି ନେଇଥିଲା। ପରେ ଜାତିସଂଘ ସାଧାରଣ ପରିଷଦ ୨୦୦୮କୁ ଅନ୍ତର୍ଜାତୀୟ ଭାଷା ବର୍ଷ ଭାବେ ଘୋଷଣା କରି ପୁଣି ଏହାର ମହତ୍ତ୍ୱକୁ ପ୍ରତିପାଦନ କରିଛି। ୨୦୦୨ରୁ ଏକ ନିର୍ଦ୍ଦିଷ୍ଟ ସ୍ଲୋଗାନ ନେଇ ଏହି ଦିବସ ପାଳନ କରାଯାଇଆସୁଅଛି। ଉକ୍ତ ଦିବସର ପ୍ରଥମ ସ୍ଲୋଗନ ଥିଲା-‘ଭାଷା ବିବିଧତା : ବିପଦରେ ୩ ହଜାର ଭାଷା’।
