ଥାନାରେ ଉଭୟପକ୍ଷଙ୍କ ଏତଲା
ଆଳି ବ୍ଲକ ନିଆଳି ସ୍ଥିତ ଆଳି କଟକ ସେଣ୍ଟ୍ରାଲ କୋ-ଅପରେଟିଭ ବ୍ୟାଙ୍କ ଲିମିଟେଡ଼ ଆଳି ଶାଖାରେ ଆଜି ଅପରାହ୍ନ ସାଢ଼େ ଦୁଇଟା ସମୟରେ ଋଣ ଟଙ୍କା ଉଠାଣକୁ ନେଇ ଶାଖା ପରିଚାଳକଙ୍କ ସହ ଗ୍ରାହକଙ୍କ ବଚସା ହୋଇଥିଲା l କଥା ସମବାୟ ବ୍ୟାଙ୍କ ରୁ ଯାଇ ଥାନାରେ ପହଁଚିଛି l ଆଳି ଥାନାରେ ହୋଇଥିବା ଦୁଇଟି ପୃଥକ ଏତଲା ଅନୁଯାୟୀ ସମବାୟ ବ୍ୟାଙ୍କ ଶାଖା ପରିଚାଳକ ଦାୟିତ୍ୱରେ ଥିବା ଚୈତନ୍ୟ ପ୍ରସାଦ ମାଝୀଙ୍କ ଏତଲା ରେ ଦର୍ଶାଇଛନ୍ତି ଯେ ସେ ଆଜି ବ୍ୟାଙ୍କ ରେ କାର୍ଯ୍ୟ କରୁଥିବା ସମୟରେ ସମୟ ପ୍ରାୟ ସାଢ଼େ ଦୁଇଟା ବେଳେ କେତୁଆପାଳ ଗ୍ରାମର ସରୋଜ ଜେନା ମଦ୍ୟପାନ କରି ଆଳି ଶାଖା ରେ ପହଞ୍ଚି ତାଙ୍କୁ ଅସଭ୍ୟ ଭାଷା ରେ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର ମଧ୍ୟ କରିଥିଲେ l ସେ ଖୁବ ଜୋରରେ ପାଟିତୁଣ୍ଡ କରିବା ସହ ୫ଜଣ ଗ୍ରାହକ ଙ୍କ ଏନ-ଇ-ଏଫଟି ଫର୍ମ ମଧ୍ୟ ଛଡାଇ ନେଇଛନ୍ତି ଏହି ସମୟରେ ସେଠାରେ ବ୍ୟାଙ୍କ କାର୍ଯ୍ୟ ନିମନ୍ତେ ଆସିଥିବା ଗୋବିନ୍ଦପୁର କୃଷି ସମବାୟ ସମିତି ର ସମ୍ପାଦକ ବିରଜା ପ୍ରସାଦ ଦାସ ଓ ଅନ୍ୟ ବ୍ୟାଙ୍କ କର୍ମଚାରୀ ମାନଙ୍କ ସହ ବଚସା ହୋଇଥିବା ନେଇ ଶ୍ରୀ ମାଝୀ ତାଙ୍କ ଏତଲା ରେ ଦର୍ଶାଇଛନ୍ତି l

ଦୀର୍ଘଦିନ ହେବ ଆଳି କଟକ ସେଣ୍ଟ୍ରାଲ କୋ-ଅପରେଟିଭ ବ୍ୟାଙ୍କରେ ଋଣ ଉଠାଣ କୁ ନେଇ ଅଚଳବସ୍ଥା ଲାଗିରହିଛି l ଫଳରେ ଚାଷୀ ମାନଙ୍କ ମଧ୍ୟ ରେ ଅସନ୍ତୋଷ ଲାଗିରହିଛି l ଅପରପକ୍ଷେ ଅନ୍ୟ ଏକ ଏତଲାରେ ସରୋଜ ଜେନା ଦର୍ଶାଇଛନ୍ତି ଯେ ତାଙ୍କ ଧର୍ମପତ୍ନୀ ରଶ୍ମିତା ଜେନା ଙ୍କ ସହ ଆଳି ଶାଖାକୁ ବ୍ୟାଙ୍କ କାର୍ଯ୍ୟ ନେଇ ଆସିଥିବା ସମୟରେ ଶାଖା ପରିଚାଳକ ଶ୍ରୀ ମାଝୀ, ସମ୍ପାଦକ ଶ୍ରୀ ଦାସ ଓ ଅନ୍ୟ ବ୍ୟାଙ୍କ କର୍ମଚାରୀ ତାଙ୍କୁ ଆକ୍ରମଣ କରି ତାଙ୍କ ଧର୍ମପତ୍ନୀ ଙ୍କୁ ଅଶାଳୀନ ଭାଷା ରେ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର କରିଥିବା ନେଇ ତାଙ୍କ ଏତଲା ରେ ଦର୍ଶାଇଛନ୍ତି l ଦୁଇଟି ଏତଲାକୁ ଭିତ୍ତିକରି ଆଳି ଥାନାଧିକାରୀ ଅନ୍ତର୍ଯ୍ୟାମୀ ଶ୍ରୀଚନ୍ଦନ ବ୍ୟାଙ୍କ ଶାଖା କୁ ଏକ ଟିମ ପଠାଇ ତଦନ୍ତ ଚଳାଇଥିବା ନେଇ ସୂଚନା ଦେଇଛନ୍ତି l
