ଆବୁଧାବି/ ଭୁବନେଶ୍ବର, ୯ ।୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶାର ୟୁଏଇ ନିବେଶ ଅଭିଯାନର ପ୍ରଥମ ଦିନରେ ରାଜ୍ୟକୁ ବଡ଼ ନିବେଶ ସୁଯୋଗ ମିଳିଛି। IHC ଓ ଆଦାନୀ ଗ୍ରୁପ୍ ସହ ୧୪ଟି ନୂଆ ପ୍ରକଳ୍ପ ନେଇ ଏମ୍ଓୟୁ ସ୍ୱାକ୍ଷର ହୋଇଛି। ଏଥିରେ ୨ ଲକ୍ଷ ୧୦ ହଜାର ୫୦୦ କୋଟି ଟଙ୍କା ନିବେଶ ପ୍ରସ୍ତାବ ପ୍ରତିଶ୍ରୁତି ମିଳିଛି। ବାଣିଜ୍ୟ ଓ ବନ୍ଦର ବିକାଶ କ୍ଷେତ୍ରରେ ସହଯୋଗ ପାଇଁ ମଧ୍ୟ ବିଭିନ୍ନ ଚୁକ୍ତି ସ୍ୱାକ୍ଷରିତ ହୋଇଛି।
IHC-ଆଦାନୀ ସହ ୧୪ ନୂଆ ପ୍ରକଳ୍ପ
International Holding Company (IHC)ର ବିଭିନ୍ନ ବ୍ୟବସାୟିକ କ୍ଷେତ୍ର ଏବଂ ଗୋଷ୍ଠୀ କମ୍ପାନୀଗୁଡ଼ିକ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ରାଉଣ୍ଡଟେବୁଲ୍ ବୈଠକ ହୋଇଥିଲା। ଏଥିରେ IHCର ମ୍ୟାନେଜିଂ ଡାଇରେକ୍ଟର ଓ ସିଇଓ ସୟଦ ବସର ଶୁଏବ, ଆଦାନୀ ପୋର୍ଟସ ଆଣ୍ଡ ସ୍ପେଶାଲ ଇକୋନମିକ୍ ଜୋନର ମ୍ୟାନେଜିଂ ଡାଇରେକ୍ଟର କରଣ ଆଦାନୀ ଏବଂ ଆଦାନୀ ଗ୍ରୀନ ଏନର୍ଜିର ଏକ୍ୟୁଜିଟିଭ୍ ଡାଇରେକ୍ଟର ସାଗର ଆଦାନୀ ଉପସ୍ଥିତ ଥିଲେ। ୨ଜୁଲାଇ ୨୦୨୬ରେ ସ୍ୱାକ୍ଷରିତ ହୋଇଥିବା ଐତିହାସିକ ବୁଝାମଣା ପତ୍ରର ପରବର୍ତ୍ତୀ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା।
ଆଦାନୀ ଗ୍ରୁପ୍ ଓଡ଼ିଶାର ପ୍ରସ୍ତାବିତ ଆଲୁମିନିୟମ ପ୍ରକଳ୍ପର ଯୁଗ୍ମ ଅଂଶୀଦାର ରହିଛି। ବୈଠକରେ ଏହି ପ୍ରକଳ୍ପ ପାଇଁ ସ୍ଥାନ ଚୟନ ନେଇ ମଧ୍ୟ ଆଲୋଚନା ହୋଇଛି। ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ତହସିଲରେ ଆଲୁମିନା ରିଫାଇନାରୀ ଏବଂ ସୁନ୍ଦରଗଡ଼ ଜିଲ୍ଲାର ସଦର ସୁନ୍ଦରଗଡ଼ ତହସିଲରେ ଆଲୁମିନିୟମ ସ୍ମେଲ୍ଟର ପାଇଁ ଜମି ପ୍ରସ୍ତାବ ରହିଛି। ଏହି ବୈଠକରେ ଓଡ଼ିଶା ସରକାର, IHC ଓ ଆଦାନୀ ଗ୍ରୁପ୍ ମଧ୍ୟରେ ୧୪ଟି ନୂଆ ପ୍ରକଳ୍ପ ନେଇ ଏମ୍ଓୟୁ ସ୍ୱାକ୍ଷର ହୋଇଛି। ଏହି ପ୍ରକଳ୍ପଗୁଡ଼ିକରେ ଆନୁମାନିକ ୨,୧୦,୫୦୦ କୋଟି ଟଙ୍କା ନିବେଶ ସହ ପାଖାପାଖି ୮,୬୮,୨୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ପ୍ରକଳ୍ପଗୁଡ଼ିକରେ ମେଟାଲ୍ ଡାଉନଷ୍ଟ୍ରିମ୍ ଶିଳ୍ପ, ସ୍ଲରି ପାଇପଲାଇନ୍, କ୍ରିଟିକାଲ୍ ମିନେରାଲ୍ ଓ ରେୟାର୍ ଆର୍ଥ୍, କେମିକାଲ୍ସ ଓ ପେଟ୍ରୋକେମିକାଲ୍ ଡେରିଭେଟିଭ୍, ଅକ୍ଷୟ ଶକ୍ତି ଉପକରଣ, ସ୍ୱାସ୍ଥ୍ୟସେବା, ଶିଳ୍ପ ଭିତ୍ତିଭୂମି, ପର୍ଯ୍ୟଟନ, ଦକ୍ଷତା ବିକାଶ ଓ କ୍ରୀଡ଼ା ଭିତ୍ତିଭୂମି ଭଳି କ୍ଷେତ୍ର ସାମିଲ ରହିଛି।
ଓଡ଼ିଶା-ୟୁଏଇ ବାଣିଜ୍ୟ ସମ୍ପର୍କ ମଜବୁତ କରିବା ପାଇଁ ନୂଆ ସହଯୋଗିତା ଫ୍ରେମଓ୍ୱାର୍କ
ଇଣ୍ଡିଆନ୍ ବିଜିନେସ ଆଣ୍ଡ ପ୍ରଫେସନାଲ (IBPG)ର ପ୍ରତିନିଧିମାନଙ୍କ ସହ ମୁଖ୍ୟମନ୍ତ୍ରୀ ମଧ୍ୟ ଆଲୋଚନା କରିଛନ୍ତି। ଏଥିରେ IBPGର ସଭାପତି ରାଜୀବ ଶାହ, IBPGର ସାଧାରଣ ସମ୍ପାଦକ ବରୁଣ ୱାହି ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶା ଏବଂ UAE-ଭିତ୍ତିକ ବ୍ୟବସାୟ ମଧ୍ୟରେ ନିବେଶ ଆଗ୍ରହ ସୃଷ୍ଟି ଏବଂ ବାଣିଜ୍ୟିକ ସମ୍ପର୍କକୁ ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଥିଲା। ଏହି ଅବସରରେ ଓଡ଼ିଶା ସରକାର ଓ IBPG ମଧ୍ୟରେ ଏକ ଏକ ସହଯୋଗ ସ୍ମାରକପତ୍ର ସ୍ୱାକ୍ଷରିତ ହୋଇଥିଲା। ଏହା ମାଧ୍ୟମରେ ଓଡ଼ିଶା ଓ ୟୁଏଇ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି ସହ ରାଜ୍ୟରେ ନିବେଶ ସୁଯୋଗ ଖୋଜିବା ଉପରେ ଗୁରୁତ୍ୱ ଦିଆଯିବ। ଓଡ଼ିଶାର ହଳଦୀ, ଅଦା ଭଳି ମସଲା, ସାମୁଦ୍ରିକ ଉତ୍ପାଦ ଏବଂ ଅନ୍ୟାନ୍ୟ ସାମଗ୍ରୀର ୟୁଏଇକୁ ରପ୍ତାନି ବଢ଼ାଇବା ନେଇ ମଧ୍ୟ ଆଲୋଚନା ହୋଇଛି।
ଓଡ଼ିଶାରେ ପେଟ୍ରୋକେମିକାଲ୍ ଡାଉନଷ୍ଟ୍ରିମ୍ କମ୍ପ୍ଲେକ୍ସ ପାଇଁ ବୋରୋଜକୁ ଆମନ୍ତ୍ରଣ
ବୋରୋଜର ପେଟ୍ରୋକେମିକାଲ୍ ସେକ୍ଟରର ସିଇଓ ହାଜିମ୍ ସୁଲତାନ ଅଲ୍ ସୁୱାଇଦିଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ଓଡ଼ିଶାରେ ଏକ ବୃହତ୍ କେମିକାଲ୍ ଡାଉନଷ୍ଟ୍ରିମ୍ କମ୍ପ୍ଲେକ୍ସ ବିକାଶ କରିବାକୁ କମ୍ପାନୀକୁ ଆମନ୍ତ୍ରଣ କରିଛନ୍ତି। ପାରାଦ୍ୱୀପଠାରେ ଇଣ୍ଡିଆନ୍ ଅଏଲ୍ କୋର୍ପୋରେସନ୍ ଲିମିଟେଡର ପ୍ରସ୍ତାବିତ ନାପଥା କ୍ରାକର ପ୍ଲାଣ୍ଟରୁ କଞ୍ଚାମାଲ ସଂଯୋଗର ସୁଯୋଗ ନେଇ ଓଡ଼ିଶାରେ ଏକ ବୃହତ୍ ପେଟ୍ରୋକେମିକାଲ୍ସ ଡାଉନଷ୍ଟ୍ରିମ୍ କମ୍ପ୍ଲେକ୍ସ ପ୍ରତିଷ୍ଠା କରିବାକୁ ସେ ବୋରୋଜ୍ କମ୍ପାନୀକୁ ନିମନ୍ତ୍ରଣ ଜଣାଇଛନ୍ତି । ବୋରୋଜ୍ କମ୍ପାନୀ ଭିତ୍ତିଭୂମି, ଶକ୍ତି, ପରିବହନ, ସ୍ୱାସ୍ଥ୍ୟସେବା, କୃଷି ଏବଂ ଆଧୁନିକ ପ୍ୟାକେଜିଂ କ୍ଷେତ୍ରରେ ବ୍ୟବହୃତ ହେଉଥିବା ପଲିଏଥିଲିନ୍ ଏବଂ ପଲିପ୍ରୋପିଲିନ୍ ଉତ୍ପାଦନ କରେ ।
ଭିତ୍ତିଭୂମି ଓ ବନ୍ଦର ବିକାଶରେ ନିବେଶ ସୁଯୋଗ
ୟୁଏଇର ବିଭିନ୍ନ ନିବେଶ ପ୍ରତିଷ୍ଠାନ ସହ ଅନ୍ୟ ଏକ ରାଉଣ୍ଡଟେବୁଲ୍ ବୈଠକରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ସରକାରଙ୍କ ପବ୍ଲିକ୍-ପ୍ରାଇଭେଟ୍ ପାର୍ଟନରସିପ୍ (PPP) ମାଧ୍ୟମରେ ବିକାଶ କରାଯାଇପାରୁଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଉପସ୍ଥାପନା କରିଛନ୍ତି।ଏଥିରେ ଓଡ଼ିଶାର ଭିତ୍ତିଭୂମି ପାଇପଲାଇନରେ ସଂସ୍ଥାଗତ ଅଂଶଗ୍ରହଣର ସୁଯୋଗ, ପ୍ରକଳ୍ପ ମୂଲ୍ୟାଙ୍କନ ଏବଂ ଦୀର୍ଘକାଳୀନ ନିବେଶ ସହଭାଗୀତା ପାଇଁ ସମ୍ଭାବ୍ୟ ମାର୍ଗ ଉପରେ ଆଲୋଚନା କରାଯାଇ ଥିଲା।ଏହି ଗୋଲଟେବୁଲରେ ୟୁଏଇ-ଭିତ୍ତିକ ପ୍ରମୁଖ ନିବେଶ ଏବଂ ବ୍ୟବସାୟିକ ପ୍ରତିଷ୍ଠାନର ବରିଷ୍ଠ ପ୍ରତିନିଧିମାନେ ଯୋଗ ଦେଇଥିଲେ।
ୟୁଏଇ ଗସ୍ତର ପ୍ରଥମ ଦିନରେ ବିଶ୍ୱସ୍ତରୀୟ ନିବେଶକ, ବ୍ୟବସାୟିକ ଗୋଷ୍ଠୀ ଓ ନିବେଶ ପ୍ରତିଷ୍ଠାନ ସହ ଓଡ଼ିଶାର ସମ୍ପର୍କ ଆହୁରି ମଜବୁତ ହୋଇଛି। ଶିଳ୍ପ, ବାଣିଜ୍ୟ, ବନ୍ଦର, ପେଟ୍ରୋକେମିକାଲ୍ସ ଓ ଭିତ୍ତିଭୂମି କ୍ଷେତ୍ରରେ ହୋଇଥିବା ଆଲୋଚନା ରାଜ୍ୟରେ ନୂଆ ନିବେଶ, ନିଯୁକ୍ତି ସୃଷ୍ଟି ଓ ବିଶ୍ୱ ବଜାରକୁ ଓଡ଼ିଶାର ଉତ୍ପାଦ ପହଞ୍ଚାଇବାରେ ନୂଆ ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।ଏହି ପଦକ୍ଷେପ ‘ସମୃଦ୍ଧ ଓଡ଼ିଶା’ ଗଠନର ଲକ୍ଷ୍ୟକୁ ଆହୁରି ଗତି ଦେବ ବୋଲି ଆଶା ପ୍ରକାଶ ପାଇଛି।
