
ଓଡ଼ିଶାରେ ପୁଣି ଜାରି ରହିଛି ଲଘୁଚାପ ବର୍ଷା । ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଜାରି ରହିଛି ପ୍ରବଳରୁ ଅତିପ୍ରବଳ ବର୍ଷା । ଆଜି ସକାଳ ୮ଟା ୩୦ ପର୍ଯ୍ୟନ୍ତ କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାକୁ ଅତିପ୍ରବଳ ବର୍ଷା ପାଇଁ ‘ରେଡ୍ ୱାର୍ଣ୍ଣିଂ’ ଜାରି କରାଯାଇଛି । ସେହିପରି ନବରଙ୍ଗପୁର ଓ କୋରାପୁଟ ଜିଲ୍ଲା ପାଇଁ ‘ଅରେଞ୍ଜ ୱାର୍ଣ୍ଣିଂ’ ଜାରି ହୋଇଥିବା ବେଳେ ଅନ୍ୟ କେତେକ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଛି । କେବଳ ବର୍ଷା ନୁହେଁ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ହେବ ସହ ବଜ୍ରପାତ ନେଇ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଥିବାବେଳେ ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ତେବେ ଆସନ୍ତା ୧୨ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ କମିବ ବୋଲି ଆକଳନ କରାଯାଇଛି ।
