CJP ମୁଖ୍ୟ ଅଭିଜିତ ଦୀପକେଙ୍କ ପାଇଁ ଆସିଛି ଏକ ଦୁଃଖଦ ଖବର। ଦୀପକେଙ୍କୁ ଦିଲ୍ଲୀ ପୋଲିସ ଅଟକ ରଖିଥିବା ବେଳେ ତାଙ୍କ ଜେଜେମା ସାବିତ୍ରୀବାଇ ଶଙ୍କର ଦୀପକେଙ୍କର ୮୫ ବର୍ଷ ବୟସରେ ଦେହାନ୍ତ ହୋଇଛି। ଏହାକୁ ନେଇ ଦୀପକେଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି। ଅନ୍ୟପଟେ, ଜେଜେମାଙ୍କ ଶେଷକୃତ୍ୟରେ ଅଭିଜିତ ଦୀପକେ ଯୋଗଦେଇ ପାରିବେ କି ନାହିଁ, ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ହିଙ୍ଗୋଲି ଅନ୍ତର୍ଗତ ତାଙ୍କ ପୈତୃକ ଗାଁ ସନ୍ତୁକ ପିମ୍ପରୀରେ ସାବିତ୍ରୀବାଇ ଶଙ୍କର ଦୀପକେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଦିଲ୍ଲୀରେ ଜନ୍ତରମନ୍ତରରେ ପ୍ରତିବାଦ ସ୍ଥଳକୁ ପହଞ୍ଚିବା ପୂର୍ବରୁ ବିମାନରୁ ଅଭିଜିତଙ୍କୁ ଅଟକ ରଖିଛି ପୋଲିସ । ଅଭିଜିତଙ୍କ ବାପା ଭଗବାନ ଦୀପକେ ଓ ମାଆ ଅନିତା ଦୀପକେ ଖବର ପାଇବା ପରେ ହିଙ୍ଗୋଲି ଅଭିମୁଖେ ବାହାରିଛନ୍ତି । ଏହି ସମୟରେ ପରିବାରର ଘର ଆଖପାଖରେ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି।
ଅନ୍ୟପଟେ, ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ପ୍ରତିବାଦ କରିବା ପାଇଁ ଅଭିଜିତ ଦୀପକେ ଦିଲ୍ଲୀ ଯାଇଥିଲେ। ଆଜି ସକାଳେ ମୁମ୍ବାଇରୁ ବିମାନ ଯୋଗେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ । ତେବେ ଦିଲ୍ଲୀରେ ବିମାନ ଅବତରଣ କରିବା ପରେ ତାଙ୍କୁ ବିମାନ ଭିତରୁ ହିଁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି । ଏହି ଘଟଣାରେ କେବଳ ଅଭିଜିତ ନୁହନ୍ତି, CJPର ଅନ୍ୟ ଦୁଇ ନେତା ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କୁ ମଧ୍ୟ ଦିଲ୍ଲୀ ପୋଲିସ ଅଟକ ରଖିଛି। ତିନି ଜଣ ନେତା ଯାତ୍ରା କରୁଥିବା ବିମାନଟି ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ପରେ କିଛି ସମୟ ମଧ୍ୟରେ ପୋଲିସ କର୍ମଚାରୀମାନେ ବିମାନ ଭିତରକୁ ପ୍ରବେଶ କରିଥିଲେ। ଏହାପରେ ତିନି ଜଣଙ୍କୁ ଅଟକ ରଖାଯାଇଥିବା ଜଣାପଡ଼ିଛି।
ବର୍ତ୍ତମାନ ଅଭିଜିତ ଦୀପକେ ଦିଲ୍ଲୀ ପୋଲିସ ହେପାଜତରେ ଥିବାରୁ ସେ ନିଜ ଗାଁକୁ ଫେରି ଜେଜେମାଙ୍କ ଶେଷକୃତ୍ୟରେ ଯୋଗଦେଇ ପାରିବେ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ଏହି ଘଟଣା ତାଙ୍କ ପରିବାର ପାଇଁ ଏକ ଦୁଃଖଦ ସମୟ ସୃଷ୍ଟି କରିଥିବା ବେଳେ ପରବର୍ତ୍ତୀ ସ୍ଥିତି ଉପରେ ସମସ୍ତଙ୍କ ନଜର ରହିଛି।
