ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ପାଇଁ ବନ୍ଦ ରହିବ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ। ଶ୍ରୀଜିଉଙ୍କର ସ୍ୱତନ୍ତ୍ର ବନକଲାଗି ନୀତି ଅନୁଷ୍ଠିତ ହେବାକୁ ଥିବାରୁ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ଏନେଇ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କୁ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଆଜି ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ମହାପ୍ରଭୁଙ୍କର ବନକଲାଗି ନୀତି ଆରମ୍ଭ ହେବ। ଏହା ଶ୍ରୀମନ୍ଦିରର ଏକ ସ୍ୱତନ୍ତ୍ର ତଥା ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ସାଧାରଣ ଭକ୍ତଙ୍କୁ ଶ୍ରୀଜିଉଙ୍କ ଦର୍ଶନର ଅନୁମତି ମିଳିବ ନାହିଁ। ଆଜି ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଅର୍ଥାତ୍ ଦୀର୍ଘ ୪ ଘଣ୍ଟା ଧରି ବନ୍ଦ ରହିବ ସର୍ବସାଧାରଣ ଦର୍ଶନ।

ବନକଲାଗି ନୀତି ଶ୍ରୀଜିଉଙ୍କ ଦୈନନ୍ଦିନ ସେବା ଓ ପରମ୍ପରା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ନୀତି। ଏହି ନୀତିରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖରେ ବିଭିନ୍ନ ପ୍ରାକୃତିକ ରଙ୍ଗ ଲଗାଇ ମୁଖମଣ୍ଡଳର ଶୃଙ୍ଗାର କରିଥାନ୍ତି। ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଭଳି ପାରମ୍ପରିକ ସାମଗ୍ରୀରେ ଶ୍ରୀମୁଖକୁ ସୁସଜ୍ଜିତ କରାଯାଏ। ଏହି ସବୁ ପ୍ରାକୃତିକ ରଙ୍ଗର ବ୍ୟବହାର ଦ୍ୱାରା ମହାପ୍ରଭୁଙ୍କ ମୁଖମଣ୍ଡଳର ଶୋଭା ବୃଦ୍ଧି କରାଯାଇଥାଏ। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଓ ନିର୍ଦ୍ଧାରିତ ନୀତିକାନ୍ତି ଶେଷ ହେବା ପରେ ଦତ୍ତମହାପାତ୍ର ସେବକମାନେ ଏହି ସ୍ୱତନ୍ତ୍ର ସେବା ସମ୍ପନ୍ନ କରିବେ। ବନକଲାଗି ନୀତି ଶେଷ ହେବା ପରେ ମହାପ୍ରଭୁଙ୍କର ମହାସ୍ନାନ ନୀତି ଅନୁଷ୍ଠିତ ହେବ। ଏହାପରେ ଅନ୍ୟାନ୍ୟ ନୀତିକାନ୍ତି ସମ୍ପନ୍ନ ହେବା ସହ ପୁଣିଥରେ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ସ୍ୱାଭାବିକ ହେବ।
