ଓଡ଼ିଶାରେ ପୁଣି ବଢ଼ିବ ବର୍ଷା । ଥାଇଲାଣ୍ଡ ଅଞ୍ଚଳରୁ ଆସୁଥିବା ଏକ ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ଆଜି ସନ୍ଧ୍ୟା ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗରରେ ପହଞ୍ଚିବାର ସମ୍ଭାବନା ରହିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଘୂର୍ଣ୍ଣିବଳୟର ପ୍ରଭାବରେ ଆସନ୍ତାକାଲି ସନ୍ଧ୍ୟା ବେଳକୁ ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଆହୁରି ସକ୍ରିୟ ହେବାର ସମ୍ଭାବନା ରହିଛି । IMDର ପୂର୍ବାନୁମାନ ଅନୁସାରେ, ଆସନ୍ତା ୩ରୁ ୪ ଦିନ ମଧ୍ୟରେ ପାଣିପାଗ ବ୍ୟବସ୍ଥା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିପାରେ । ଏହାର ପ୍ରଭାବରେ ଆଜିଠାରୁ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବା ନେଇ ଅକଳନ କରାଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି ।

କେତେକ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଆଗାମୀ ଦିନରେ ପାଣିପାଗ ବ୍ୟବସ୍ଥା ଓଡ଼ିଶା ଉପକୂଳ ଆଡ଼କୁ ଆସିବା ସହ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିପାରେ । ତେବେ ଲଘୁଚାପ ସୃଷ୍ଟି ହେବା ପରେ ଏହାର ଗତିପଥ ଓ ତୀବ୍ରତା ସମ୍ପର୍କରେ ଅଧିକ ସ୍ପଷ୍ଟ ଚିତ୍ର ମିଳିବ। ଅନ୍ୟପଟେ ଏହି ପାଣିପାଗ ବ୍ୟବସ୍ଥାକୁ ନେଇ ବାତ୍ୟା ସମ୍ପର୍କିତ ଚର୍ଚ୍ଚା ମଧ୍ୟ ହେଉଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା IMD କୌଣସି ବାତ୍ୟା ପୂର୍ବାନୁମାନ କରିନାହିଁ । କିନ୍ତୁ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେଣୁ ବାତ୍ୟାକୁ ନେଇ ଏବେ ଠାରୁ ଆତଙ୍କିତ ନହୋଇ IMDର ସରକାରୀ ସୂଚନା ଉପରେ ନଜର ରଖିବା ଜରୁରୀ । ପାଣିପାଗ ବିଭାଗ ମଧ୍ୟ ଏହି ବ୍ୟବସ୍ଥାର ପ୍ରତିଟି ଗତିବିଧି ଉପରେ ନଜର ରଖିଛି ।
