ଜଳେଶ୍ୱର ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆସିଛି ଏକ ବଡ଼ ଅପଡେଟ୍। ଏହି ସମ୍ବେଦନଶୀଳ ଘଟଣାର ତଦନ୍ତକୁ ଆହୁରି ଜୋରଦାର କରିଛି ପୋଲିସ। ଘଟଣାରେ ଜଣେ ମହିଳାଙ୍କ ସମେତ ମୋଟ ତିନି ଜଣଙ୍କୁ ପୋଲିସ ଉଠାଇ ନେଇ ଅଟକ ରଖିଥିବା ସୂଚନା ମିଳିଛି। ଅଟକ ଥିବା ମହିଳାଙ୍କ ବିରୋଧରେ ମୃତ ନାବାଳିକାଙ୍କ ପରିବାର ପକ୍ଷରୁ ଏତଲା ଦିଆଯାଇଥିବା ଜଣାପଡ଼ିଛି। ତେବେ ଏହି ତିନି ଜଣଙ୍କ ସମ୍ପୃକ୍ତି ନେଇ ତଦନ୍ତ ଜାରି ରହିଛି।

ଏହି ଘଟଣାରେ ପୂର୍ବରୁ ପୋଲିସ ମୁଖ୍ୟ ଅଭିଯୁକ୍ତ ଚନ୍ଦ୍ରକାନ୍ତ ଜେନାଙ୍କୁ ଗିରଫ କରିଥିଲା। ଗତକାଲି ଏସପି ଦେଇଥିବା ସୂଚନା ଅନୁସାରେ, ଗିରଫ ଚନ୍ଦ୍ରକାନ୍ତ ଜେନା ହିଁ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ। ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ଅଭିଯୁକ୍ତ ନାବାଳିକାଙ୍କୁ ଜଙ୍ଗଲକୁ ନେଇ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ ପାଇଁ ବାଧ୍ୟ କରିଥିଲା। ନାବାଳିକା ଏଥିରେ ରାଜି ନହେବା ସହ ତାଙ୍କୁ ଭଲ ପାଉନଥିବା କହିବାରୁ ଅଭିଯୁକ୍ତ ତାଙ୍କ ତଣ୍ଟି ଚିପି ହତ୍ୟା କରିଥିବା ପୋଲିସ ପକ୍ଷରୁ କୁହାଯାଇଛି।
ସୂଚନା ଅନୁସାରେ, ଗତ ୧୬ ତାରିଖରୁ ନାବାଳିକା ଜଣକ ନିଖୋଜ ଥିଲେ। ସେ ଡ୍ୟାନ୍ସ କ୍ଲାସକୁ ଯାଇ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ। ପରେ ବର୍ତ୍ତନା ପଞ୍ଚାୟତ ଅନ୍ତର୍ଗତ ଘେରାପଦା ଜଙ୍ଗଲରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ନାବାଳିକାଙ୍କୁ ନ୍ୟାୟ ଦେବା ପାଇଁ ଦାବି ଜୋର ଧରିଛି। ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ, ଅଟକ ଥିବା ତିନି ଜଣଙ୍କର ଏହି ମାମଲା ସହ କି ସମ୍ପର୍କ ରହିଛି ଏବଂ ଅନ୍ୟ କୌଣସି ଦିଗ ରହିଛି କି ନାହିଁ, ସେସବୁ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି। ତଦନ୍ତ ପରେ ଘଟଣାର ଅଧିକ ତଥ୍ୟ ସାମ୍ନାକୁ ଆସିବା ଆଶା କରାଯାଉଛି।
