ପୁରୀ ଜିଲ୍ଲା ନିମାପଡାରେ ଆୟୋଜିତ ପଥ ଉତ୍ସବ ସମୟରେ ଘଟିଛି ଏକ ବଡ ଅଘଟଣ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଞ୍ଚ ଉପରେ ଥିବାବେଳେ ହଠାତ୍ ମଞ୍ଚରେ ଲାଗିଥିଲା ନିଆଁ। କିଛି ସମୟ ପାଇଁ ସୃଷ୍ଟି ହୋଇଥିଲା ଆତଙ୍କର ପରିସ୍ଥିତି। ତେବେ ଅଳ୍ପକେ ଟଳିଯାଇଛି ଏକ ବଡ ଦୁର୍ଘଟଣା।
ନିମାପଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଆଜି ଆୟୋଜିତ ହୋଇଥିଲା ପଥ ଉତ୍ସବ। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଜୟଶ୍ରୀ ଛକରୁ ପଦଯାତ୍ରାରେ ବାହାରି ପୂର୍ଣ୍ଣେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚିଥିଲେ ଉପମୁଖ୍ୟମନ୍ତ୍ରୀ। ସେଠାରେ ଏକ ସ୍ୱତନ୍ତ୍ର ମଞ୍ଚ ପ୍ରସ୍ତୁତ କରାଯାଇଥିଲା।
ମଞ୍ଚ ଉପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସହ ନିମାପଡା ତହସିଲଦାର, ବ୍ଲକ ଉନ୍ନୟନ ଅଧିକାରୀ, “ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ, ନିମାପଡା ଏସଡିପିଓ ସମେତ ଅନେକ ଅଧିକାରୀ ଏବଂ ସ୍ଥାନୀୟ ଜନପ୍ରତିନିଧି ଉପସ୍ଥିତ ଥିଲେ। ଏହି ସମୟରେ ଉପମୁଖ୍ୟମନ୍ତ୍ରୀ “ଉତ୍କର୍ଷ ନିମାପଡା ୨.୦”ର ମାସ୍କଟ ଉନ୍ମୋଚନ କରୁଥିଲେ।

ଠିକ୍ ସେତେବେଳେ ମଞ୍ଚ ସମ୍ମୁଖରେ ଫୁଟାଯାଉଥିବା ବାଣର ନିଆଁ ଉଡ଼ି ମଞ୍ଚ ଉପରେ ପଡ଼ିଥିବା କାର୍ପେଟରେ ଲାଗିଯାଇଥିଲା। ମୁହୂର୍ତ୍ତକ ମଧ୍ୟରେ ମଞ୍ଚ ଉପରେ ଆତଙ୍କ ଖେଳିଯାଇଥିଲା। ତେବେ ସେଠାରେ କୌଣସି ଅଗ୍ନିନିର୍ବାପଣ ବ୍ୟବସ୍ଥା ନଥିବାରୁ ଉପସ୍ଥିତ ଲୋକେ ଚପଲରେ ନିଆଁ କୁ ବାଡେଇ ନିଆଁ ଲିଭାଇବା ସହିତ ପିଇବା ପାଣି ବୋତଲରେ ପାଣି ଆଣି ନିଆଁକୁ ଆୟତ୍ତ କରିଥିଲେ।
ତେବେ ଏତେ ବଡ କାର୍ଯ୍ୟକ୍ରମରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଯୋଗଦେଇଥିବା ସତ୍ତ୍ୱେ କାହିଁକି ଅଗ୍ନିନିରାପତ୍ତା ବ୍ୟବସ୍ଥା କରାଯାଇନଥିଲା, ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଯଦି ନିଆଁ ବଡ ଆକାର ନେଇଥାନ୍ତା, ତେବେ ଏଥିପାଇଁ ଦାୟୀ କିଏ ରହିଥାନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
