ଦିଲ୍ଲୀର ଜନ୍ତରମନ୍ତରରେ ପୁଣି ହାଇଡ୍ରାମା । କଡ଼ା ପୋଲିସ ସୁରକ୍ଷା ଓ ବ୍ୟାରିକେଡ୍ ସତ୍ତ୍ୱେ ଜନ୍ତରମନ୍ତରରେ ପ୍ରବେଶ କରି ପ୍ରତିବାଦ କରିଛନ୍ତି CJPର ନେତା ଓ କର୍ମୀ। ଏହାପରେ ଦଳର ମୁଖ୍ୟ ମୁଖପାତ୍ର ସୌରଭ ଦାସ, ଜାତୀୟ ମୁଖପାତ୍ର ଆଶୁତୋଷ ରାଙ୍କା ଓ ଅଜିଙ୍କ୍ୟ ଶିନ୍ଦେଙ୍କ ସମେତ ଅନେକ କର୍ମୀଙ୍କୁ ଦିଲ୍ଲୀ ପୋଲିସ ପୁଣି ହେପାଜତକୁ ନେଇଛି। CJP ପ୍ରତିଷ୍ଠାତା ଅଭିଜିତ ଦୀପକେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଜନ୍ତରମନ୍ତରରେ ପ୍ରବେଶ କରି ପ୍ରତିବାଦ କରିବା ପରେ ଦଳର ନେତା ଓ କର୍ମୀଙ୍କୁ ପୋଲିସ ଉଠାଇନେଇଥିବା ସେ କହିଛନ୍ତି। ସେହିପରି ସୌରଭ ଦାସ ସୋସିଆଲ ମିଡିଆରେ ସେମାନଙ୍କୁ ଜାଫରପୁର ଥାନାକୁ ନିଆଯାଇଥିବା ଜଣାଇଛନ୍ତି ।

ସୂଚନା ଅନୁସାରେ, ଆଜି ସକାଳେ CJPର ନେତା ଓ କର୍ମୀମାନେ ଜାତୀୟ ପତାକା ଧରି ଜନ୍ତରମନ୍ତରରେ ପହଞ୍ଚିଥିଲେ। କେତେକ କର୍ମୀ ଲୁହା ଗେଟ୍ ଓ ପୋଲିସ ବ୍ୟାରିକେଡ୍ ଡେଇଁ ଭିତରକୁ ପ୍ରବେଶ କରିଥିଲେ। ଏହାପରେ ସେମାନେ ‘ଭାରତ ମାତା କି ଜୟ’ ଓ ‘ଇନକିଲାବ ଜିନ୍ଦାବାଦ’ ନାରା ଦେବା ସହ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଥିଲେ। ପୋଲିସ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରିବାରୁ କିଛି ସମୟ ଧରି ଧସ୍ତାଧସ୍ତି ହୋଇଥିଲା। ପରେ ପ୍ରତିବାଦକାରୀଙ୍କୁ ହେପାଜତକୁ ନିଆଯାଇଥିଲା।

ଜନ୍ତରମନ୍ତରକୁ ଅନୁମୋଦିତ ଆନ୍ଦୋଳନସ୍ଥଳ ତାଲିକାରୁ ହଟାଯିବା ପରେ ଏହି ଘଟଣା ଘଟିଛି । ପ୍ରଶାସନର ଏହି ନିଷ୍ପତ୍ତିକୁ CJP ବିରୋଧ କରିବା ସହ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବା ନାଗରିକଙ୍କ ସାମ୍ବିଧାନିକ ଅଧିକାର ବୋଲି ଦାବି କରୁଛି । ଅନ୍ୟପଟେ, ଅନୁମତି ବିନା ନିଷିଦ୍ଧ ଅଞ୍ଚଳରେ ପ୍ରତିବାଦ ଓ ସୁରକ୍ଷା ବ୍ୟବସ୍ଥା ଉଲ୍ଲଂଘନ ଅଭିଯୋଗରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ଏହା ପୂର୍ବରୁ ଅକ୍ଟୋବର ୧୦ରେ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ CJPର ପ୍ରସ୍ତାବିତ ବିକ୍ଷୋଭକୁ ନେଇ ଦିଲ୍ଲୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ସେତେବେଳେ ଅଭିଜିତ ଦୀପକେ, ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ପୋଲିସ ହେପାଜତକୁ ନେଇଥିଲା। ଅକ୍ଟୋବର ୧୧ରେ ଏକ ବର୍ଷ ପର୍ଯ୍ୟନ୍ତ ଶାନ୍ତି ବଜାୟ ରଖିବା ସର୍ତ୍ତରେ ସେମାନଙ୍କୁ ମୁକ୍ତ କରାଯାଇଥିଲା। ମାତ୍ର ଏହାର ଦୁଇ ଦିନ ପରେ ପୁଣି ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ହେପାଜତକୁ ନିଆଯାଇଛି।
